ସାମର୍ଥ୍ୟ ସାମ୍ନାରେ ହାର ମାନିଛି ଉଚ୍ଚତା

ମାଲକାନଗିରି: ବ୍ୟକ୍ତିତ୍ବ ପାଇଁ ଚେହେରା କିମ୍ବା ଉଚ୍ଚତା କୌଣସି ମାନେ ରଖେ ନାହିଁ। ପ୍ରତିକୂଳ ପରିବେଶ ସତ୍ତ୍ବେ ସଂଘର୍ଷ କରି ସଫଳତା ପାଇବାର କଳା ହିଁ ମଣିଷର ପ୍ରକୃତ ବ୍ୟକ୍ତିତ୍ବକୁ ପରିପ୍ରକାଶ କରେ। ମାଲକାନଗିରି ଜିଲ୍ଲାର ଦୁର୍ଗମ ଗାଁରୁ ସଫଳତା ପାଇଁ ଯାତ୍ରା ଆରମ୍ଭ କରିଥିବା ଏମିତି ଜଣେ ଯୁବ ହେଲେ ଘାସିରାମ ଖିଲ। ମାୟାନଗରୀ ମୁମ୍ବାଇରେ ଜାତୀୟ ସ୍ତରର ଏକ ରିଆଲିଟି ସୋ’ରେ ବଡ଼ ପ୍ଲାଟଫର୍ମ ପାଇଥିଲେ। ଏହି ସୁଯୋଗକୁ ସେ ଆହ୍ବାନ ରୂପେ ଗ୍ରହଣ କରି ଓଡ଼ିଶାର ଘରେ ଘରେ ପରିଚିତ ହେଲେ। କିନ୍ତୁ କିଛି ଦିନର ଚର୍ଚ୍ଚା ପରେ ପୁଣି ନିଜ ଗାଁରେ ଆଲୋଡ଼ା ହୋଇ ଯାଇଥିଲେ। ବିମ୍ବଳରେ ହେଲେ ବି କିସ୍ ତାଙ୍କୁ ନିଯୁକ୍ତି ଦେବାକୁ ଆଗେଇ ଆସି ଏହି ଯୁବକଙ୍କୁ ନୂଆ ସମ୍ଭାବନାର ରାସ୍ତା ଦେଖାଇଛି।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋତାମେଟା-୧ ଗାଁର ପଦୁ ଖିଅଙ୍କ ପୁଅ ଘାସିରାମ ଖିଲ। ବୟସ ବର୍ତମାନ ୩୧ବର୍ଷ। ଉଚ୍ଚତା ମାତ୍ର ୩ଫୁଟ ୧୧ଇଞ୍ଚ। ସ୍ବାଭାବିକ ଭାବେ ଉଚ୍ଚତା ବଢ଼ିନଥିବାରୁ ଅବସୋସ କରନ୍ତି ଘାସିରାମ। ହେଲେ ପାଠପଢ଼ିବାର ପ୍ରବଳ ଆଗ୍ରହ ରହିଥିଲା। ତେଣୁ ଗୋଟିଯୋଡିରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ପାଙ୍ଗାମରେ ହାଇସ୍କୁଲ ଏବଂ କୁଡୁମୁଲୁଗୁମ୍ମାରେ କଲେଜ ଶିକ୍ଷା ସମାପ୍ତ କରିଥିଲେ। ଏହା‌ପରେ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷ। ଖେଳକୁଦ ପ୍ରତି ଆଗ୍ରହ ରହିଥିବାରୁ ମାର୍ଶଲ ଆର୍ଟ ଶିକ୍ଷା ନେଲେ। ମାଲକାନଗିରି ମାଲ୍ୟବନ୍ତ ଉତ୍ସବରେ ନିଜର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରି ପ୍ରଥମେ ଲୋକଙ୍କ ସାମ୍ନାକୁ ଆସିଥିଲେ। ଏଥିରେ ସେ ସଫଳ ହେବାରୁ ବିନାଶ ମିଶ୍ରଙ୍କ ଆଓମା ସଂଗଠନରେ ସାମିଲ ହୋଇଥିଲେ। ଯାହାଫଳରେ ତାଙ୍କୁ ମିଳିଥିବା ବଡ଼ ସଫଳତା। ଏକ ଘରୋଇ ଓଡ଼ିଆ ଚ୍ୟାନେଲର ‘ବେଷ୍ଟ ଅଫ ଅଡ଼ିଶା’ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଥମ ରନର୍ସ ଅପ୍ ହୋଇଥିଲେ। ସେହିଭଳି ସୋନି ଚ୍ୟା‌େନଲର ଜାତୀୟ ସ୍ତରର କାର୍ଯ୍ୟକ୍ରମ କୁଛ ବି କରେଗାରେ ଭାଗ ନେଇ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ।
ସଫଳତା ପାଇବା ପାଇଁ ଉଚ୍ଚତା କୌଣସି ମାନେ ରଖେନା ବୋଲି ଘାସିରାମ କୁହନ୍ତି। ଉଚ୍ଚତା କମ୍ ଥିଲେ ମଧ୍ୟ ସେ ଅନ୍ୟ ସାଧାରଣ ପିଲାଙ୍କ ଭଳି ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି କହିଛନ୍ତି। ଏକ ଅଖ୍ୟାତ ପଲ୍ଲୀରୁ ଆସି ଏତେ ଦୂର ପହଞ୍ଚିଥିଲେ ମଧ୍ୟ ପାଠ ପଢି ବେକାର ରହିଥିଲେ। କିସର ଅବିଭକ୍ତ କୋରାପୁଟ ଜିଲ୍ଲା ସଂଯୋଜକ ଜ୍ଞାନେନ୍ଦ୍ର ଧଳ, ମାଲକାନଗିରି ଜିଲ୍ଲା ସଂଯୋଜକ ବାପି ପରିଡା ଏନେଇ ଜାଣିବା ପରେ ତାଂକୁ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦେଇଥିଲେ। ଭୁବନେଶ୍ବରରେ ପହଞ୍ଚିବା ପରେ ସିନେ ତାରକା ଅନୁଭବ ମଧ୍ୟ ତାଂକୁ ଚିହ୍ନପାରି ଫଟୋ ଉଠାଇଥିଲେ। ଏଥିସହ ଅଚ୍ୟୁତ ସାମନ୍ତ ଭେଟି ତାଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି। ଯାହାକୁ ନେଇ ଘାସିରାମଙ୍କ ଆନନ୍ଦ କହିଲେ ନସରେ। ଏବେ ଘାସିରାମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି।

ସମ୍ବନ୍ଧିତ ଖବର