କୋର୍ଟରେ ବିଚାରାଧୀନ କଏଦୀଙ୍କ ସୁବିଧା ପାଇଁ ଦାବି

ମାଲକାନଗିରି: ମାଲକାନଗିରି ଆଇନଜୀବୀ ସଂଘ ତରଫରୁ  ଏକ ସାମ୍ବାଦିକ ସମ୍ମିଳନୀରେ ବିଚାରାଧୀନ କଏଦୀଙ୍କ ପାଇଁ କୋର୍ଟ ପରିସରରେ ସବୁ ପ୍ରକାର ସୁବିଧା କରିବା ପାଇଁ ଦାବି କରାଯାଇଛି। ପ୍ରବଳ ଖରାରେ ଏକଦୀମାନେ କୋର୍ଟକୁ ଆସୁଛନ୍ତି। ଏହାପରେ ଶୁଣାଣି ହେବା ପର୍ଯ୍ୟନ୍ତ ଗାଡ଼ିରେ ଗରମରେ ଦୀର୍ଘ ସମୟ ଧରି ବସି ରହୁଛନ୍ତି। ଯାହାଫଳରେ କଏଦୀମାନେ ଅସୁସ୍ଥ ହେଉଛନ୍ତି। ପ୍ରାୟ ୪ ଘଣ୍ଟାରୁ ୯ ଘଣ୍ଟା ପର୍ଯ୍ୟନ୍ତ ଖରାରେ ହନ୍ତସନ୍ତ ହେଉଛନ୍ତି। ଯାହାକି ମାନବିକ ଅଧିକାରର ଖୋଲାଖୋଲି ଉଲଂଘନ। ଏଥିପାଇଁ କୋର୍ଟ ପରିସରରେ ଏକ କୋଠରୀର ସୁବିଧା କରିବା ସହ ସେମାନଙ୍କ ପାଇଁ ପାଣି, ପାଇଖାନା, କୁଲର ଇତ୍ୟାଦିର ସୁବିଧା କରିବାକୁ ଦାବି କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ଗତ ମାର୍ଚ୍ଚ ୨ ତାରିଖ, ୧୭ ତାରିଖ ଏବଂ ୨୨ ତାରିଖରେ ଅବଗତ କରାଯାଇଥିଲା। କିନ୍ତୁ ଜିଲ୍ଲାପାଳ ବାର ଆସୋସିଏସନର ଏହି ଦାବିକୁ ପୂରଣ ନକରି ଚୁପ ରହିଛନ୍ତି।

ଯଦି କଏଦୀଙ୍କର କୌଣସି ଅସୁବିଧା ହୁଏ ତେବେ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ସିଧା ସିଧା କୁହାଯାଇଥିଲା। କେବଳ ଏତିକି ନୁହେଁ, ଯଦି ଆସନ୍ତା ୨୬ ତାରିଖ ଭିତରେ କଏଦୀଙ୍କ ପାଇଁ ଏସବୁ ବ୍ୟବସ୍ଥା କରାନଯାଏ ତେବେ ଆସନ୍ତା ୨୬ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଲନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଜି ବାର ଆସୋସିଏସନର ସଭାପତି ନୃସିଂହ ଚରଣ ମହାନ୍ତି କହିଛନ୍ତି। ବାରମ୍ବାର ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେବା ସହ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁବିଧା ନକରିବାକୁ ନେଇ ବାର ଆସୋସିଏସନ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ବ୍ୟକ୍ତ କରିଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ନୃସିଂହ ଚରଣ ମହାନ୍ତିଙ୍କ ସମେତ ସଂପାଦକ ଲମ୍ବୋଦର ତୁର୍କୁ, ଉପସଭାପତି ବିଜୁ ସରକାର, ଯୁଗ୍ମ ସଂପାଦକ ହୃଷିକେଶ ପଣ୍ଡା, ରତିକୃଷ୍ଣ ପାତ୍ର, ରାକେଶ ପଟନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି, ଅନିମେଶ ଦାସ, ଚିନ୍ମୟ ରାୟ, ଶଶିଧର ମହାପାତ୍ର, ରବୀନ୍ଦ୍ରନାଥ ମାଝି, ଦୀପ୍ତି ରଂଜନ ରଥ, ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର