ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଅଞ୍ଚଳରେ ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ତାହା ପୁଣି ଦାଦାଗିରି କରି ଜୋରଜବରଦସ୍ତ ୪୮ହଜାର ଟଙ୍କା ନେଇଥିବା ନେଇ ଚିତ୍ରକୋଣ୍ଡା ଥାନାରେ ଆଜି ଏତଲା ଦିଆଯାଇଛି। ସ୍ବାଭିମାନ ଅଂଚଳର ବଡପଦର ପଞ୍ଚାୟତ ଅନ୍ତର୍ଗତ ପଦ୍ମଗିରି ଗ୍ରାମର ଲକ୍ଷ୍ମୀ ପୂଜାରୀ ଚିତ୍ରକୋଣ୍ଡା ଥାନାରେ ଦେଇଥିବା ଏତଲା ଅନୁଯାୟୀ, ମୁଛେମପୁଟ ଥାନା ଅନ୍ତର୍ଗତ ଆଲମାସିଂରେ ବାସ କରୁଥିବା ତାଂକ ବଡବାପା ଅନନ୍ତ ପୂଜାରୀଙ୍କ ପାଖରୁ ଘର ତିଆରି କରିବା ପାଇଁ ୪୮ହଜାର ଟଂକା ନେଇ ଗତକାଲି ଆସୁଥିଲି। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବଡପଡା ଗ୍ରାମର ଶିବ ମନ୍ଦିର ନିକଟରେ ଜଣେ ପୁଲିସ ଏଏସଆଇ ମୋଟର ସାଇକେଲକୁ ଅଟକାଇଥିଲେ। ଗାଳିଗୁଲଜ କରିବା ସହ ମାରପିଟ କରି ୪୮ ହଜାର ଟଂକା ଜବରଦସ୍ତ ଛଡାଇ ନେଇଯାଇଥିଲେ। ଏଏସଆଇଙ୍କ ନିକଟରେ ହାତଗୋଡ ଧରି ନେହୁରା ହୋଇଥିଲେ ମଧ୍ୟ ସେ ଟଂକା ଫେରାଇନଥିଲେ। ଓଲଟା ମୁଁ ପୋଲିସ, ମୋର କେତେ ପାଵାର ତତେ ଜଣାନାହିଁ ବୋଲି କହିଥିଲେ। ତେଣୁ ଏତଲାକୁ ଗ୍ରହଣ କରି ଟଙ୍କା ଫେରାଇବା ବ୍ୟବସ୍ଥା କରିବାକୁ ସେ ଥାନାରେ ଗୁହାରି କରିଛନ୍ତି। ଏନେଇ ଚିତ୍ରକୋଣ୍ଡା ପୋଲିସ ସହ ଯୋଗାଯୋଗ ହୋଇପାରୁ ନଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଏଠାରେ ପ୍ରଶ୍ନ ଉଠେ ଯେ ସ୍ବାଭିମାନ ଅଂଚଳରେ ବାସ କରୁଥିବା ଲୋକେ ଗୋଟିଏ ଦିଗରେ ନକ୍ସଲ ଦ୍ବାରା ନିର୍ଯାତିତ ହେଉଥିବା ବେଳେ ଏଠାରେ ପୁଲିସ ଯଦି ନକ୍ସଲ ଭଳି ବ୍ୟବହାର କରେ ତେବେ ଲୋକେ ଯିବେ କୁଆଡେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା। ତେଣୁ ତୁରନ୍ତ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପୁଲିସ ଏଏସଆଇଙ୍କ ବିରୋଧରେ ସଂଗିନ ଅଭିଯୋଗ:ମାରପିଟ କରି ଟଙ୍କା ଛଡ଼ାଇ ନେଲେ
/sambad/media/post_attachments/wp-content/uploads/2018/10/malka-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)