ଷ୍ଟୋଭ ଫାଟି ପୋଡ଼ିଗଲେ ଦଂପତି

କାଲିମେଳା: ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମଭି-୭୨ ଗ୍ରାମରେ ଗତକାଲି ରାତିରେ ଷ୍ଟୋଭ ଫାଟି ଦଂପତି ପୋଡ଼ି ଯାଇଛନ୍ତି। ମହିଳାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମାଲକାନଗିରି ମେଡିକାଲରେ ଚିକିତ୍ସା କରାଯାଉଛି। ସୂଚନା ଅନୁସାରେ ଗତକାଲି ରାତିରେ ଏମଭି-୭୨ ଗ୍ରାମର ଦିଲୀପ ଦାସ ଓ ତାଙ୍କ ପତ୍ନୀ ସବିତା ଘରେ ଷ୍ଟୋଭରେ ରୋଷେଇ କରୁଥିଲେ। ସବିତା ଷ୍ଟୋଭରେ କିରାସିନି ପକାଇ ଜାଳିକାବୁ ଯାଇ ଅତ୍ୟଧିକ ପ୍ରେସର ଦେଇଦେବାରୁ ଷ୍ଟୋଭ ହଠାତ୍‌ ଫାଟି ଯାଇଥିଲା। ଷ୍ଟୋଭଟି ବହୁତ ବର୍ଷର ପୁରୁଣା ହୋଇଯାଇଥିବାରୁ ଷ୍ଟୋଭର ଟାଙ୍କିଟି ଫାଟି ଯାଇ ବିସ୍ଫୋରଣ ହୋଇଥିଲା। ଫଳରେ ପାଖରେ ଥିବା ପତ୍ନୀ ସବିତାଙ୍କ ଶରୀରର ସମ୍ମୁଖ ପଟ ଜଳିଯାଇଥିଲା। ମୁହଁ ଛାତି ଓ ପେଟ ହାତ ଗୋଡ଼ି ପୋଡ଼ିଯାଇଥିଲା। ଏତିକି ବେଳେ ପାଖରେ ଥିବା ସ୍ୱାମୀ ଦିଲୀପ ମଧ୍ୟ ସମାନ୍ୟ ଆହାତ ହୋଇଥିଲେ। ତୁରନ୍ତ ଉଭୟଙ୍କୁ କାଲିମେଳା ମେଡ଼ିକାଲକୁ ପଠାଯାଇଥିବା ବେଳେ ପତ୍ନୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରିଦିଆଯାଇଛି।

ସମ୍ବନ୍ଧିତ ଖବର