କାଳ ହେଲା କାଳବୈଶାଖୀ :କେନ୍ଦୁପତ୍ର ନଷ୍ଟ ଯୋଗୁଁ ଆଦିବାସୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଅନେକ ଗ୍ରାମବାସୀ କେନ୍ଦୁପତ୍ର ତୋଳିବାରେ ବ୍ୟସ୍ତ। କେନ୍ଦୁପତ୍ର ବିକ୍ରି କରି ଆଦିବାସୀ ବେଶ ଦିପଇସା ରୋଜଗାର କରିବା ପାଇଁ ଏହି ସମୟକୁ ଅପେକ୍ଷା କରିଥାନ୍ତି। ତେବେ ମାଲକାନଗିରି ବ୍ଲକର ମାଟାପାକା, ପଡିଆ ବ୍ଲକର ମୋଟେରୁ, ନିଲିଗୁଡା ପଞ୍ଚାୟତରେ ତୋଳିଥିବା କେନ୍ଦୁପତ୍ର କାଳବୈଶାଖୀ ପ୍ରଭାବରେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଲଗାତାର କୁଆପଥର ମାଡରେ ସମସ୍ତ କେନ୍ଦୁପତ୍ର ନଷ୍ଟ ହୋଇଯାଇଛି। ତେଣୁ ଚଳିତ ବର୍ଷ ଯାହା ରୋଜଗାର କରିବାର ସ୍ୱପ୍ନ ଦେଖିଥିଲେ ତାହା ଏବେ ଧୂଳିସାତ ହୋଇଯାଇଛି। ପ୍ରକାଶଥାଉକି ଲୋକେ କାମଧନ୍ଦା ଛାଡି ସକାଳରୁ କେନ୍ଦୁପତ୍ର ତୋଳିବା ପାଇଁ ବାହାରି ପଡନ୍ତି। ଦିନ ତମାମ କେନ୍ଦୁପତ୍ର ତୋଳି ଘରକୁ ଆଣି ତାକୁ ବିଡା କରନ୍ତି। ପରେ ଏହାକୁ ଖରାରେ ଶୁଖାଇଥାନ୍ତି। ତେବେ ଗତ ସପ୍ତାହେ ହେଲାଣି କାଳବୈଶାଖୀ ତାର ଉଗ୍ର ରୂପ ଦେଖାଇବା ଫଳରେ କେନ୍ଦୁପତ୍ର ତୋଳାଳି ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। କେନ୍ଦୁପତ୍ର ନଷ୍ଟ ହେବା ଯୋଗୁଁ ସେମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି।

ପ୍ରତିବର୍ଷ ସେମାନେ କେନ୍ଦୁପତ୍ର ତୋଳି ୫୦ରୁ ୬୦ହଜାର ଟଙ୍କା ରୋଜଗାର କରିଥାନ୍ତି। ଏନେଇ ତିନି ପଞ୍ଚାୟତର ସରପଞ୍ଚ ଏବେ ଚିନ୍ତାରେ ପଡିଛନ୍ତି। ଆଦିବାସୀ ଭାଇଭଉଣୀଙ୍କ କେନ୍ଦୁପତ୍ର ନଷ୍ଟ ହେବା ଯୋଗୁଁ କୌଣସି ପଦକ୍ଷେପ ନେବା ପାଇଁ ସେମାନେ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏହି ତିନି ପଞ୍ଚାୟତକୁ ଆଜି ପର୍ଯ୍ୟନ୍ତ ଜଳସେଚନ ସୁବିଧା କରାଯାଇ ନାହିଁ। ତେଣୁ ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ବିଶେଷକରି ମହୁଲ, ଟୋଲା, କେନ୍ଦୁପତ୍ର ଭଳି ଜଙ୍ଗଲଜାତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ଚଳିତ ବର୍ଷ ବହୁ କ୍ଷତି ସହିଥିବା ଯୋଗୁଁ ଚିନ୍ତିତ ହୋଇପଡିଛନ୍ତି। କାମଧନ୍ଦା ନଥିବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ଯିବେ ବୋଲି ଜଣାପଡିଛି। ଏନେଇ ଜିଲ୍ଲା ପ୍ରଶାସନ ଏବଂ ବିଧାୟକମାନେ ହସ୍ତକ୍ଷେପ କରି କିପରି କ୍ଷତିପୂରଣ ପାଇବେ ସେନେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର