ମାଲକାନଗିରି: ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଆଞ୍ଚଳିକ ବୈଷମ୍ୟ ବିରୋଧରେ ଏବଂ ବିକାଶର ବିକେନ୍ଦ୍ରୀକରଣ ଦାବିନେଇ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ମଞ୍ଚର ଆବାହକ ଗୌରଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆୟୋଜିତ ହୋଇଯାଇଛି। ‘ଆମେ ବି ଓଡ଼ିଶାବାସୀ, ଆମ ପ୍ରତି ବି ନଜର ପଡୁ’ ଦାବି ସହିତ ଆନ୍ଦୋଳନକାରୀମାନେ ଅବିଭକ୍ତ କୋରାପୁଟ ଅଞ୍ଚଳ ପ୍ରତି କରାଯାଉଥିବା ବୈମାତୃକ ମନୋଭାବ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲା ରାଜ୍ୟର ସବୁଠାରୁ ପଛୁଆ ଓ ଦରିଦ୍ର ଜିଲ୍ଲା ହୋଇଥିଲେ ମଧ୍ୟ ସ୍ଵାଧୀନତାର ୭୮ ବର୍ଷ ପରେ ମଧ୍ୟ ଏଠାରେ ରେଳ ସଂଯୋଗ,ଉନ୍ନତ ସ୍ୱାସ୍ଥ୍ୟ ସେବା,ଉଚ୍ଚ ଶିକ୍ଷା ସୁବିଧା ଓ ଶିଳ୍ପ କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିନାହିଁ। ୧୯୭୯ ମସିହାରେ ସ୍ଥାପିତ ମାଲକାନଗିରି ମହାବିଦ୍ୟାଳୟ ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇନଥିବାକୁ ମଞ୍ଚ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ମାଲକାନଗିରି ଜିଲ୍ଲା ପାଇଁ ପୋଲାଭରମ ଜଳସେଚନ ପ୍ରକଳ୍ପକୁ ନେଇ ମଧ୍ୟ ଗଭୀର ଚିନ୍ତା ପ୍ରକାଶ ପାଇଛି। ଏହି ପ୍ରକଳ୍ପରେ ୨୩୬ଟି ଗ୍ରାମ ଓ ପ୍ରାୟ ୧୦ ହଜାର ହେକ୍ଟର ଜଙ୍ଗଲ ଜଳମଗ୍ନ ହେବା ସହ ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ପ୍ରଭାବିତ ହେବାର ଆଶଙ୍କା ଉଠାଯାଇଛି।
ଆହୁରି ପଢନ୍ତୁ: School Problem: ୧୫୪ ବର୍ଷର ବିଦ୍ୟାଳୟର ବିକଳ ଚିତ୍ର: ବିପଦ ଭିତରେ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି କୁନି କୁନି ପିଲା
ଶ୍ରୀ ତ୍ରିପାଠୀ କହିଥିଲେ ଯେ ଦୀର୍ଘବର୍ଷ ଧରି ଅବହେଳିତ ଏହି ଅଞ୍ଚଳବାସୀ ନିଜ ରାଜ୍ୟରେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ଅନୁଭବ କରୁଛନ୍ତି ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସଠିକ୍ ରାଜନୈତିକ ପ୍ରତିନିଧିତ୍ୱର ଅଭାବ ଏବଂ ପ୍ରଭାବଶାଳୀ ନେତୃତ୍ୱ ନ ଥିବାରୁ ଏହି ଅଞ୍ଚଳ ବିକାଶରୁ ବଞ୍ଚିତ ହେଉଛନ୍ତି। ଏହି ଆନ୍ଦୋଳନରେ ମଞ୍ଚର ବରିଷ୍ଠ ସଦସ୍ୟ ସର୍ବଶ୍ରୀ ଶଶୀଭୂଷଣ ପଟ୍ଟନାୟକ,ଧୀରେନ ପଟ୍ଟନାୟକ,ଗୁପ୍ତେଶ୍ୱର ପାଣିଗ୍ରାହୀ,କୃଷ୍ଣ କେଶବ ଷଡଙ୍ଗୀ, ମନୋଜ କୁମର ପାତ୍ର,ବିଜୟ କୁମାର ପତ୍ର,ଘେନୁ ମୁଦୁଲିଙ୍କ ସମେତ ଅବିଭକ୍ତ କୋରାପୁଟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ସାଧାରଣ ନାଗରିକ ଓ ସାମାଜିକ କର୍ମୀମାନେ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/09/71905510-54d6-4acd-bfe4-e766d1bd5f41-2026-03-09-23-58-31.jpg)