ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଦୁର୍ଦ୍ଦାନ୍ତ ମାଓ ନେତା ହିଡ଼ମାର ମରଶରୀର ନିଜ ପୈତୃକ ଗ୍ରାମ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ପୂବର୍ତ୍ତି ଗ୍ରାମରେ ପହଁଚିଛି। ହିଡ଼ମାର ମୃତ୍ୟୁ ଖବର ଗାଁରେ ପହଂଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ମରଶରୀର ପହଂଚିବା ପରେ ଗାଁରେ ଲୋକାରଣ୍ୟ ଦେଖିବାକୁ ମିଳିଥିଲା।

Advertisment

ଗତ ୧୮ ତାରିଖରେ ଆନ୍ଧ୍ରପ୍ରଦେଶର ଅଲ୍ଲୁରି ସୀତାରାମରାଜୁ ଜିଲ୍ଲାର ମେରଡାମଲ୍ଲି ଜଙ୍ଗଲରେ ଏନକାଉଣ୍ଟରରେ ମାଓ ନେତା ମାଡ଼ବି ହିଡ଼ମାର ମୃତ୍ୟୁ ହୋଇଥିଲା। ଏହାସହ ତାଙ୍କ ପତ୍ନୀ ରାଜେ ଓ ଅନ୍ୟ ୪ ଜଣ ନକ୍ସଲଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ଖବର ପାଇବା ପରେ ହିଡ଼ମାଙ୍କ ମା'ଙ୍କ ଆଖିରୁ ଲୁହ ଶୁଖୁନାହିଁ। ଗ୍ରାମବାସୀମାନେ ମଧ୍ୟ ହିଡ଼ମାର ଏଭଳି ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି। ସମସ୍ତଙ୍କ ଆଖିରେ ଲୁହ। ଏତେ ସହଜ ମୃତ୍ୟୁ ତାର କେବେ ହେବ ନାହିଁ ବୋଲି ସେମାନେ କହିଛନ୍ତି। କଡା ସୁରକ୍ଷା ଘେରରେ ରହିଥିବା ହିଡମାର ମୃତ୍ୟୁକୁ କେହି ବିଶ୍ବାସ କରୁନାହାନ୍ତି। ଏ ଅଂଚଳର ଲୋକଙ୍କ ପାଇଁ ସେ ବହୁ ସହଯୋଗ କରୁଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଥିଲେ।

ହିଡମାର ମା’ଙ୍କୁ ଆଶ୍ବାସନା ଦେଲେ ଯବାନ

ଆଜି ନିଜ ପୈତୃକ ଗ୍ରାମ ପୂବର୍ତ୍ତିରେ ଶବ ପହଞ୍ଚିବା ପରେ ସ୍ଥାନୀୟ ସିଆରପିଏଫ କ୍ୟାମ୍ପରେ ଶବକୁ ନିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଶବକୁ ଯବାନଙ୍କ ସୁରକ୍ଷାରେ ରଖାଯାଇଥିଲା। ହିଡମାର ମା‘ଙ୍କ ବୟସ ୮୦ ଡେଇଁବଣି। ସେ ଠିକ ରୂପେ ଚାଲି ପାରୁନଥିବା ବେଳେ ପୁଅର ମୃତ୍ୟୁ ତାଂକୁ ଶକ୍ତ ଧକ୍କା ଦେଇଛି। ସ୍ଥାନୀୟ ଲୋକେ ଏବଂ ଯବାନ ତାଂକୁ ଆଶ୍ବାସନା ଦେଉଥିବା ଦେଖିବାକୁ ମିଳିଛି। 

ଆହୁରି ପଢ଼ନ୍ତୁ: Minor Girl Raped: ସଂପର୍କ ଭୁଲିଗଲା ସଂପର୍କୀୟ ମାମୁ, ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ!

ମା’ କଥା ଶୁଣି ନଥିଲା ହିଡମା

ଗତ କିଛି ଦିନ ତଳେ ପୁଅ ହିଡମାକୁ ସେ ଆତ୍ମସମର୍ପଣ ପାଇଁ ନେହୁରା ହୋଇଥିଲେ। କିନ୍ତୁ ଅଚାନକ କିଛି ଦିନ ମଧ୍ୟରେ ତାଂକର ମରଶରୀର ଗାଁରେ ପହଞ୍ଚିବ ସେ ଏହାକୁ ବିଶ୍ବାସ କରିପାରୁନଥିଲେ। ହିଡମାକୁ ଦୀର୍ଘ ଦିନ ଧରି ଦେଖିନଥିବା ତାଂକ ଗାଁର ଲୋକେ ଏବଂ ଆଖପାଖ ଲୋକେ ତାଂକର ଶେଷ ଦର୍ଶନ ପାଇଁ ଭିଡ ଜମାଇଥିଲେ। ସେପଟେ ନକ୍ସଲ ସଂଗଠନ ପକ୍ଷରୁ ମଧ୍ୟ ହିଡମାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୋସିଆଲ ମିଡିଆରେ ତାଂକର ଫଟୋକୁ ଛାଡ଼ି ତେଲୁଗୁ ଭାଷାରେ ଗୀତ ବୋଲାଯାଉଥିବା ଦେଖିବାକୁ ମିଳିଛି। ତାଂକର ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ସଂଗଠନ କହିଛି।

ଆହୁରି ପଢ଼ନ୍ତୁ: BJP: ଶତାଧିକ ସମର୍ଥକଙ୍କ ସହ ବିଜେପିରେ ମିଶିଲେ ସରପଞ୍ଚ, ସମିତିସଭ୍ୟା