ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏମଭି-୨୬ ଓ କୋରକୋଣ୍ଡା ଗ୍ରାମର ୨ଜଣ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ୧୫ ଲକ୍ଷ ଟଂକା ଲେଖାଏଁ କ୍ଷତି ପୂରଣ ପ୍ରଦାନ କରାଯାଇଛି। ଘଟଣା ଅନୁଯାୟୀ ଗତ ୨୦୧୩ ମସିହା ଏପ୍ରିଲ ୬ ତାରିଖରେ ଏମଭି-୨୭ ଗ୍ରାମର ରମେନ୍ଦ୍ରନାଥ ସରକାର(୬୨) ନାମକ ବୃଦ୍ଧ ଜଣେ ନାବାଳିକା(୧୨)କୁ ଦୁଷ୍କର୍ମ କରିଥିଲା।ଘଟଣା ସଂପର୍କରେ ନାବାଳିକା ଜଣକ ଘରେ କହିବା ପରେ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦାୟର କରିଥିଲେ।ଏତଲା ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ବର୍ତ୍ତମାନ ଏହି ମାମଲାଟି ବିଚାରଧୀନ ରହିଛି। ଉକ୍ତ ନାବାଳିକାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ମାନସ ମିଶ୍ର ପୀଡିତାଙ୍କୁ ଆଜି ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ବାବଦକୁ ଦେଢ ଲକ୍ଷ ଟଂକାର ଚେକ ପ୍ରଦାନ କରିଛନ୍ତି।
ସେହିପରି ଗତ ୨୦୧୬ ମସିହାରେ କୋରୁକୋଣ୍ଡା ଗ୍ରାମର ମନୋଜ ହିଆଲ ଜଣେ ଅନାଥ ନାବାଳିକା(୧୪)କୁ ତାଂକ ଘରେ ଏକୁଟିଆ ପାଇ ଅପହରଣ କରିନେଇଥିଲା ଓ ଦୀର୍ଘ ୮ ମାସ କାଳ ପୀଡିତାକୁ ଦୁଷ୍କର୍ମ କରିଥିଲା। ଫଳରେ ନାବାଳିକାଟି ଗର୍ଭବତୀ ହୋଇଥିଲା।ଅଭିଯୁକ୍ତ ମନୋଜ ହିଆଲ ନାବାଳିକାଟିକୁ ଏକୁଟିଆ ଛାଡି ଦେଇ ଆନ୍ଧ୍ର ପ୍ରଦେଶ ଚାଲିଯାଇଥିଲା।ଏହାପରେ ନାବାଳିକା ଜଣକ ଘରକୁ ଫେରି ତାଂକ ପିଉସୀକୁ ଏ ସଂପର୍କରେ କହିଥିଲା।ବର୍ତ୍ତମାନ କୋର୍ଟରେ ଏହି ମାମଲାରା ବିଚାର ଚାଲିଛି। ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ମାନସ ମିଶ୍ର ଆଜି ପୀଡିତାକୁ ମଧ୍ୟବର୍ତ୍ତୀକାଳୀନ ଦେଢ ଲକ୍ଷ ଟଂକା କ୍ଷତିପୂରଣ ପ୍ରଦାନ କରିଛନ୍ତି।ଏହି ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅମିତ ସ୍ୱରୂପ କୁମାର ସେଠ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଗତ ୨୦୧୨ ମସିହାରୁ ଦୁଷ୍କର୍ମ ପୀଡିତାମାନଙ୍କୁ ଥଇଥାନ,ଶିକ୍ଷା,ଚିକିତ୍ସା ପାଇଁ ପ୍ରାଧିକରଣ ତରଫରୁ ଏହିଭଳି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/malka-1.jpg)