ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍ ପରେ ସଜାଗ ହେଲା ପ୍ରଶାସନ: ନେରୁଡପାଲି ନଦୀ ପାର ହେବା ଲାଗି ବୋଟ୍ ଯୋଗାଇଲେ ସରକାର

ମାଲକାନଗିରି : ଶିଳ୍ପପତି  ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ ପରେ ଚେତିଲା ମାଲକାନଗିରି ଜିଲ୍ଲା ପ୍ରଶାସନ ।  ସ୍ୱାଭିମାନ ଅଂଚଳରେ ନଦୀ ପାର ହେବା ଲାଗି ବୋଟ୍ ନଥିବା ଖବର ପ୍ରକାଶିତ ହେବା ପରେ ନେରୁଡ ପାଲି ନଦୀ ପାର ହେବା ପାଇଁ ମୋଟର ବୋଟ୍ ଯୋଗାଇଦେଲା ଜିଲ୍ଳା ପ୍ରଶାସନ । ଲାଉତୁମ୍ବା ବାନ୍ଧି ଅଙ୍ଗନୱାଡି କର୍ମୀ ନଦୀ ପାର ହେବା ନେଇ ଖବର ପ୍ରକାଶିତ ହେବା ପରେ ଅକ୍ଟୋବର ୨୧ ତାରିଖରେ ଟୁଇଟ୍ କରିଥିଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା।  ଅଞ୍ଚଳବାସୀଙ୍କ ଅସୁବିଧା ଦୂର ଲାଗି  ବୋଟ ଯୋଗାଇବାକୁ ଆଗେଇ ଆସିଥିଲେ ଶିଳ୍ପପତି ମହିନ୍ଦ୍ରା ।

ସେ ଅଙ୍ଗନୱାଡି କର୍ମୀଙ୍କ ପାଇଁ ନିଜ ଖର୍ଚ୍ଚରେ ବୋଟ ଯୋଗାଇ ଦେବେ ବୋଲି ଟୁଇଟ୍ କରି ଘୋଷଣା କରିଥିଲେ । ଏହା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଂଚଳର ନେରୁଡପାଲି ନଦୀରେ ବୋଟର ବ୍ୟବସ୍ଥା କରାଯାଇଛି । ନଦୀ ସେପଟେ ଥିବା ଦୁଇଟି ଅଙ୍ଗନୱାଡି କେନ୍ଦ୍ର ସୁଆପାଲି ଓ ନେଡ଼ୁପାଲିକୁ ଯିବା ପାଇଁ କୌଣସି ସୁବିଧା ନ ଥିବାରୁ ଅଙ୍ଗନୱାଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଷା ଅଂଟାରେ ଲାଉତୁମ୍ବା ବାନ୍ଧି ନଦୀ ପାର ହୋଇଥାନ୍ତି । ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ସହ ଶିଶୁଙ୍କ ଖାଦ୍ୟ ବଂଟନ କରିବା ପାଇଁ ରାଲେଗଡା ଗ୍ରାମ ପଂଚାୟତର ଏହି ୨ ଜଣ ମହିଳା ଅଙ୍ଗନୱାର୍ଡି କର୍ମୀ ଭରା ନଇ ପାରି ହୋଇଥାନ୍ତି ।

ସମ୍ବନ୍ଧିତ ଖବର