କାଲିମେଳାରେ ଡବଲ ମର୍ଡର

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଘଟିଛି ଲୋମଟାଙ୍କୁରା ଡବଲ୍‌ ମର୍ଡର। ଗୋଟିଏ ଗାଁର ୨ଜଣ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ଜଣଙ୍କ ମୁଣ୍ଡ ଗାଏବ କରି ଦିଆଯାଇଛି। ଏକ କେନାଲ ହୁଡ଼ା ନିକଟସ୍ଥ ବୁଦା ମୂଳରୁ ଉଭୟଙ୍କ ଶବ ମିଳିଛି। ପାଖରୁ ସେମାନଙ୍କ ମୋପେଡ୍‌ ମଧ୍ୟ ମିଳିଛି। ଏହି ଘଟଣା ସମଗ୍ର କାଲିମେଳାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

କାଲିମେଳା ଥାନାଠାରୁ ମାତ୍ର ୫କିଲୋମିଟର ଦୂର ଭେଙ୍କଟପଲମ ଯିବା ରାସ୍ତାରେ ଏକ କେନାଲ ହୁଡ଼ା ନିକଟ ବୁଦା ମୂଳରେ ୨ଜଣଙ୍କ ଶବ ପଡ଼ିଥିବା କିଛି ଲୋକ ଆଜି ମଧ୍ୟାହ୍ନ ଗୋଟାଏରେ ଦେଖିବାକୁ ପାଇଥିଲେ। ମୃତକ ଭେଙ୍କଟପଲମ ଗ୍ରାମର ଦେବା କୁରାମଙ୍କ ପୁଅ ଲଛମାୟା କୁରାମ(୪୫) ଓ ଆପଲ ସ୍ୱାମୀଙ୍କ ପୁଅ ଏଙ୍କେଟ ରାଓ(୫୦) ବୋଲି ଲୋକେ ଚିହ୍ନଟ କରିଥିଲେ। ଏଙ୍କେଟଙ୍କ ମୁଣ୍ଡକୁ କେହି କାଟି ନେଇ ଯାଇଥିବା ଦେଖିବାକୁ ମିଳିଛି। ସେହିପରି କୁରାମ ଲାଛମାୟାକୁ ମଧ୍ୟ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ଏକ ମୋପେଡ୍‌ ପଡ଼ି ରହିଥିବା ସହ ଏକ ବ୍ୟାଗରେ କୁକୁଡା ରହିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ କାଲିମେଳା ଥାନା ଅଧିକାରୀ ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ୨ଜଣଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପୁଲିସ ଏନେଇ ଅଧିକ ଛାନଭିିନ୍‌ କରୁଛି।

ସମ୍ବନ୍ଧିତ ଖବର