ମାଲକାନଗିରି: ମାଲକାନଗିରି ଜିଲ୍ଲାର ଅପହଞ୍ଚ ତଥା ନକ୍ସଲ ପ୍ରବଣ ଅଂଚଳ ଭାବେ ଚିତ୍ରକୋଣ୍ଡା ବ୍ଲକ ପରିଚିତ। ବ୍ଲକର ୭ଟି ପଞ୍ଚାୟତ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଥିଲା। ତେବେ ଗୁରୁପ୍ରିୟା ସେତୁ ଉଦ୍ଘାଟନ ପରେ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବି ସ୍ବାଭିମାନ ଅଂଚଳର ପଞ୍ଚାୟତ ଗୁଡିକକୁ ପକ୍କା ରାସ୍ତା ଖଣ୍ଡିଏ ନାହିଁ। ଲୋକେ ପାଦରେ ଚାଲି ଚାଲି ମାଇଲ ମାଇଲ ବାଟ ଚାଉଳ କିମ୍ବା ଚିକିତ୍ସା ପାଇଁ ଯାଉଛନ୍ତି। ଯେଉଁଠି ରାସ୍ତାର ଅବସ୍ଥା ଏମିତି ଶିକ୍ଷାଦାନ ବ୍ୟବସ୍ଥା କେମିତି ରହିଥିବ ତାହା ସହଜରେ ଅନୁମେୟ। ଏହି ବ୍ଲକର ବଡପଡା ପଞ୍ଚାୟତର ମତାଆମ୍ବ ଗ୍ରାମରେ ରହିଛି ପିୟୁପି ବିଦ୍ୟାଳୟ। ଏହି ବିଦ୍ୟାଳୟରେ କେତେ ଶ୍ରେଣୀ ରହିଛି, କେତେ ପିଲା ପଢ଼ନ୍ତି ଏବଂ କେତେ ଜଣ ଶିକ୍ଷକ ରହିଛନ୍ତି କାହାକୁ ଠିକ ରୂପେ ଜଣା ନାହିଁ। ବିଦ୍ୟାଳୟର ଅବସ୍ଥା ନକହିବା ଭଲ। ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ମାତ୍ର ୬ରୁ ୭ ଜଣ ପିଲା ଖେଲୁଥିବା ବେଳେ ଶିକ୍ଷକଙ୍କ ଦେଖା ନଥିଲା। ଏନେଇ ପିଲାଙ୍କୁ କେଉଁ ଶ୍ରେଣୀରେ ପଢ଼ୁଛ ଓ ଶିକ୍ଷକଙ୍କ ସଂଖ୍ୟା ପଚାରିବାରୁ କେହି କିଛି ଉତ୍ତର ଦେଇପାରିନଥିଲେ।
ଶିକ୍ଷାଦାନ ଦିନ ନିମନ୍ତେ ଏଠାରେ ଶ୍ରେଣୀ ଗୃହ ଅଛି। ହେଲେ ଛାତ ଉଡ଼ି ଆଁ କରିଛି। ସ୍କୁଲ ଚାରିପାଖ କୃତ୍ରିମ ଜଂଗଲର ଭ୍ରମ ସୃଷ୍ଟି କରୁଛି। ଶୌଚାଳୟ କଥା ନକହିବା ଭଲ। ଶୌଚାଳୟ ନିର୍ମାଣ ହେବା ଦିନଠାରୁ ବ୍ୟବହାର କରାଯାଇ ନାହିଁ। ଶୌଚାଳୟ ଚାରିପଟେ ମଧ୍ୟ ଜଂଗଲ ସୃଷ୍ଟି ହୋଇଛି। ମଧ୍ୟାହ୍ନ ଭୋଜନ କେଉଁଠି ରନ୍ଧା ହେଉଛି ତାହା ମଧ୍ୟ ଜାଣି ହେଉନାହିଁ। ପିଲାଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ମିଳୁଛି କି ନାହିଁ ତାହା ମଧ୍ୟ ସଂଦେହ ଘେରରେ। କେବଳ ଏହି ଗୋଟିଏ ବିଦ୍ୟାଳୟ ନୁହେଁ। ସ୍ବାଭିମାନ ଅଂଚଳର ଦୁର୍ଗମ ଗ୍ରାମ ଗୁଡିକରେ ରହିଥିବା ସ୍କୁଲ ଗୁଡିକର ଅବସ୍ଥା ପ୍ରାୟ ଏମିତି। କାଁ ଭାଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରିଦର୍ଶନ କରୁଥିବାରୁ ଏହାର ଫାଇଦା ଉଠାଉଛନ୍ତି ଶିକ୍ଷକମାନେ। ଯଦି ବା କେହି ଉଚ୍ଚ କର୍ତ୍ତୃପକ୍ଷ ପରିଦର୍ଶନରେ ଯାଉଛନ୍ତି ଏହା ପୂର୍ବରୁ ଶିକ୍ଷକଙ୍କୁ ଏନେଇ ଖବର ମିଳିଯାଏ ଏବଂ ପରିଦର୍ଶନ ପୂର୍ବରୁ ଶିକ୍ଷକ ନିଜ ସ୍କୁଲରେ ଉପସ୍ଥିତ ରହିଥାନ୍ତି। ନିରକ୍ଷରତା ଯୋଗୁଁ ଏହି ଅଂଚଳର ଯୁବକମାନେ ସହଜରେ ନକ୍ସଲଙ୍କ ଦ୍ବାରା ପ୍ରଭାବିତ ହେଉଛନ୍ତି। ନକ୍ସଲ ଏମାନଙ୍କୁ ଭୁତାଇ ନିଜ ସଂଗଠନରେ ସାମିଲ କରାଉଛନ୍ତି। ଯାହାର ଫଳସ୍ବରୂପ ଯୁବକମାନେ ବିପଥାଗାମୀ ହୋଇ ନିଜ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି। ତେଣୁ ପ୍ରଶାସନ ତରଫରୁ ତୁରନ୍ତ ଶିକ୍ଷା ବ୍ୟବସ୍ଥା ସଜାଡିବାକୁ ଦାବି ହୋଇଛି।
ସ୍ବାଭିମାନ ଅଂଚଳେର ଶିକ୍ଷା ଏମିତି:ଛାତ ଉଡ଼ି ଆଁ କରିଛି, କର୍ତ୍ତୃପକ୍ଷଙ୍କ ନିଘା ନାହିଁ
/sambad/media/post_attachments/wp-content/uploads/2018/10/broken-windows-concrete-wall-and-ceiling-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)