ବିସ୍ଫୋରଣ ଜବତ କଲେ ବିଏସଏଫ ଯବାନ: ଗୁମ୍ଫାରେ ଲୁଚାଇ ରଖିଥିଲେ ନକ୍ସଲ

ମାଲକାନଗିରି/କାଲିମେଳା: ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ଭେଜେଙ୍ଗଓ୍ଵାଡା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରଣ ସାଙ୍ଗକୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏମଭି-୭୨ଗ୍ରାମରେ କ୍ୟାମ୍ପ କରିଥିବା ବିଏସଏଫ ଯବାନ ସର୍ଚ୍ଚ ଅପରେସନ ସମୟରେ ଚିନ୍ତାକୋଣ୍ଡା ଜଙ୍ଗଲର ଗୋଟିଏ ଗୁମ୍ଫାରେ ଗଛପତ୍ର ପକାଇ ଲୁଚାଇ ରଖାଯାଇଥିବା ଏହି ସାମଗ୍ରୀକୁ ଠାବ୍‌ କରିଥିଲା। ଜବତ ସାମଗ୍ରୀ ମଧ୍ୟରେ ଏକେ-୪୭ ମେଗାଜିନ, ୭.୬୨ ରାଉଣ୍ଡସ୍‌ (ଏକେ), ଫ୍ୟୁଜ ତାର, ହେଣ୍ଡ ଗ୍ରେନେଡ, ଜିଲୋଟିନ୍‌ ଷ୍ଟିକସ୍‌, ବିଦ୍ୟୁତ ଡିଟୋନେଟର, ନନ୍‌ ଇଲେକଟ୍ରୋନିକ ଡିଟୋନେଟର, ଦେଶୀ ରିଭଲଭର ଆଦି ରହିଛି। ଅର୍ଧସାମରିକ ବଳର ଗତିବିଧିକୁ ଦୃଷ୍ଟିରେ ରଖି ଆତର୍କିତ ଭାବେ ଆକ୍ରମଣ କରିବା ପାଇଁ ନକ୍ସଲ ଏସବୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା କୁହାଯାଉଛି। ତେବେ ବିଏସଏଫ ଯବାନଙ୍କ ତୀକ୍ଷ୍ଣ ନଜର ସଠିକ୍‌ ସୂଚନା ଯୋଗୁଁ ମାଓବାଦୀଙ୍କ ଏହି ଯୋଜନା ପଣ୍ଡ ହୋଇଯାଇଛି।
ଭେଜାଙ୍ଗିବାଡ଼ା ସଂରକ୍ଷିତ ଜଙ୍ଗଲ ସମୁଦ୍ର ପତ୍ତନ ଠାରୁ ୪୯୯ ଫୁଟ ଉଚ୍ଚରେ ରହିଛି। ଘଞ୍ଚ ଜଙ୍ଗଲର ଗୋଟିଏ ପାର୍ଶ୍ୱରେ ଓଡ଼ିଶା ଓ ଅନ୍ୟ ପାର୍ଶ୍ୱରେ ଆନ୍ଧ୍ର ରହିଛି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଲୋକଙ୍କର ସେତେଟା ଚଳପ୍ରଚଳ ନଥାଏ। ଯାହାର ସୁଯୋଗ ନେଇ ମାଓବାଦୀ ଏହି ଜଙ୍ଗଲରେ କ୍ୟାମ୍ପ କରିବା ସହ ଦଳରରେ ସାମିଲ ହେଉଥିବା ନୂଆ ସଦସ୍ୟଙ୍କୁ ତାଲିମ ଦେଇଥାନ୍ତି। ତେବେ ନକ୍ସଲଙ୍କ ଗତିବିଧି ବଢିବାରୁ ବିଏସଏଫ ପକ୍ଷରୁ ନିୟମିତ ଭାବେ ଏହି ଅଞ୍ଚଳରେ କମ୍ବିଂ ଅପରେସନ ହୁଏ। ତେଣୁ ବିଏସଏଫ ଉପରେ ଆକ୍ରମଣ କରି ଏହି ଅଞ୍ଚଳରେ ଅବାଧ ପ୍ରବେଶକୁ ରୋକିବା ପାଇଁ ନକ୍ସଲ ଦୀର୍ଘ ଦିନ ହେଲା ଯୋଜନା କରି ଆସୁଥିଲେ। ତେଣୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଗଛ କୋରଡ, ଗୁମ୍ଫାରେ ହତିଆର ଲୁଚାଇ ରଖିଛନ୍ତି। ଏପରିକି ମାଟି ତଳେ ବି ବହୁ ସାମଗ୍ରୀ ରଖିଥିବା ବେଳେ ଲ୍ୟାଣ୍ଡ ମାଇନ ଖଞ୍ଜିଥିବା ସୂଚନା ମିଳିଛି। ତେବେ ଗତକାଲି ସାମଗ୍ରୀ ମିଳିବା ପରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଅଚିହ୍ନା ଲୋକଙ୍କୁ ଧରି ପଚରା ଉଚରା କରୁଥିବା ନେଇ ମଧ୍ୟ ସୂଚନା ମିଳିଛି। କାଲିମେଳା ଆଂଚଳିକ ଦଳମ ଏହି ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ବିଏସଏଫ ଯବାନ ଓ ପୁଲିସ ଉପରେ ଆକ୍ରମଣ ପାଇଁ ଲୁଚାଇ ରଖିବାକୁ ବିଏସଏଫ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର