ଜାଲ ଜାତି ପ୍ରମାଣପତ୍ର ମାମଲା:ଖଇରପୁଟ ବ୍ଲକ୍‌ ଅଧ୍ୟକ୍ଷା, ଉପାଧ୍ୟକ୍ଷା ପଦ ଅସିଦ୍ଧ ହେବ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅଧ୍ୟକ୍ଷା କୁମୁଦିନୀ କିରସାନୀ, ଉପାଧ୍ୟକ୍ଷା ଗୀତାରାଣୀ ଭତ୍ରାଙ୍କ ପଦବି ଅସିଦ୍ଧ ହେବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଉଭୟ ଦାଖଲ କରିଥିବା ଜାତି ପ୍ରମାଣିତ ଜାଲ୍‌ ବୋଲି ତହସିଲଦାରଙ୍କ କୋର୍ଟରେ ପ୍ରମାଣିତ ହୋଇଛି। ଉଭୟ ମିଥ୍ୟା ସତ୍ୟପାଠ ଦେଇ ନିର୍ବାଚନରେ ଲଢ଼ିଥିଲେ ବୋଲି ତହସିଲ ପକ୍ଷରୁ କୁହାଯାଇଛି। ଗତ ୧୩ ସେପ୍ଟେମ୍ବରରୁ ଏହି ମାମଲା ସଂପର୍କରେ ତହସିଲ କୋର୍ଟରେ ବିଚାର ଚାଲିଥିଲା। ଗତ ୫ ତାରିଖ ଦିନ କୋର୍ଟ ଉଭୟଙ୍କ ଜାତି ପ୍ରମାଣ ପତ୍ର ଜାଲ ବୋଲି ଦର୍ଶାଇଥିଲେ।

ଉଭୟ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷା ନବରଂଗପୁର ଜିଲ୍ଲାର ବାସିନ୍ଦା। ଏମାନେ ଆଦିବାସୀ ହୋଇ ନଥିଲେ ମଧ୍ୟ ଆଦିବାସୀ ପ୍ରମାଣପତ୍ର ହାସଲ କରି ନିର୍ବାଚନ ଲଢ଼ିଥିଲେ। ତହସିଲ କୋର୍ଟର ଏଭଳି ରାୟ ପରେ ଉଭୟଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ରାମକୃଷ୍ଣ ନାୟକ କହିଛନ୍ତି।
ଖଇରପୁଟ ବ୍ଲକ ଅଧ୍ୟକ୍ଷା କୁମୁଦିନୀ କିରସାନୀ, ଉପାଧ୍ୟକ୍ଷା ଗୀତାରାଣୀ ଭତ୍ରାଜାଲ୍‌ ଜାତି ପ୍ରମାଣପତ୍ର ଦେଇଥିବା ନେଇ ଦୈମତି ଗୋଲପେଦ ଖଇରପୁଟ ତହସିଲଦାର ଓ ଥାନାରେ ଅଭିଯୋଗ କରିଥିଲେ।

ଉଭୟ ଆଦିବାସୀ ନୁହଁନ୍ତି ବୋଲି ସେ ଅଭିଯୋଗ କରିବା ସହ ସେମାନଙ୍କ ପଦବି ରଦ୍ଦ କରିବାକୁ ଦାବି କରିଥିଲେ। ଏହାପରେ ଖଇରପୁଟ ତହସିଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଉଭୟଙ୍କ ପୈତୃକ ଗ୍ରାମ ନବରଂଗପୁର ଜିଲ୍ଲାରେ। ତେବେ ସେମାନେ ଖଇରପୁଟ ବ୍ଲକ ଅଞ୍ଚଳରେ ବିବାହ କରିବା ପରେ ଏହି ଠିକଣା ଆଧାରରେ ଜାତି ପ୍ରମାଣପତ୍ର ହାସଲ କରିଥିଲେ। ଉଭୟ ଆଦିବାସୀ ନୁହଁନ୍ତି ବୋଲି ତହସିଲ କୋର୍ଟ ରାୟ ଦେବା ପରେ ସ୍ଥାନୀୟ ଅଞ୍ଚଳରେ ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧିତ ଖବର