କାଲିମେଳା: କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇଙ୍କୁ ଅପହରଣ ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ। ଅମ୍ଲାନଙ୍କ ବାପା, ମାମୁଁ, ସମ୍ପର୍କୀୟ ଏବଂ ସାହିବାସିନ୍ଦା ମିଳିତ ଭାବେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ସହ ଅମ୍ଳାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଶନିବାର ରାତିରେ ସରକାରୀ କ୍ୱାର୍ଟର୍ସରୁ କିଛି ଦୁର୍ବୃତ୍ତ ଅମ୍ଲାନଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣର କାରଣ ଜଣାପଡ଼ି ନଥିବା ବେଳେ ପୁଲିସ ଅମ୍ଲାନଙ୍କୁ ଉଦ୍ଧାର କରିବାକୁ ତଦନ୍ତ ଚଳାଇଛି। ଏଥିଲାଗି ଏକ ସ୍ବତନ୍ତ୍ର ଟିମ୍ ଗଠିତ ହୋଇଛି।

Advertisment

ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତର ଅମ୍ଲାନ ଭୋଇଙ୍କ ସହ କିଛି ଲୋକଙ୍କ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି। ଅନ୍ୟପଟେ ଏସଡିପିଓ ସଚିନ ପଟେଲ ମେଡିକାଲକୁ ଆସି ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀ ନାଁ କେହି ଦୁର୍ବୃତ୍ତ ଅପହରଣ କରିଛନ୍ତି ସେ ବିଷୟରେ ସଠିକ ସୂଚନା ମିଳିପାରିନାହିଁ। ଘଟଣା ଯୋଗୁଁ ଡାକ୍ତରଙ୍କ ମହଲରେ ଆତଙ୍କ ଖେଳିଯାଇଛି।