ମାଲକାନଗିରି: ମାଥିଲି ବ୍ଲକର ଆମ୍ବାଗୁଡ଼ା ପଞ୍ଚାୟତର ମାରକଲଗୁଡ଼ା ଗ୍ରାମର ପଦ୍ମନ ନାୟକ ତାଙ୍କ ଭଉଣୀକୁ ଜ୍ବାଇଁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ନେଇ ମାଲକାନଗିରି ଥାନାରେ ଅଭିଯୋଗ ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଯୋଗୁଁ ପରିବାର ଲୋକେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଭାଇ ପଦ୍ମନ ନାୟକଙ୍କ ଅଭିଯୋଗ ଅନୁଯାୟୀ ୧୪ ବର୍ଷ ତଳେ ତାଙ୍କ ଭଉଣୀ କୁନି ନାୟକ ମାଲକାନଗିରି ଥାନା ଅନ୍ତର୍ଗତ ବରଜା ଗ୍ରାମର ରବି ବରଜାଙ୍କୁ ବୈଦିକ ଭୁମିଆ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବୈବାହିକ ଜୀବନ କିଛି ଦିନ ପାଇଁ ଖୁସିରେ କଟିବା ପରେ କୁନିଙ୍କୁ ରବି ବେପାର କରିବା ପାଇଁ ସୁନା, ଟଙ୍କା ଧରି ଆସିବା ପାଇଁ ଜବରଦସ୍ତ କରିଥିଲା। କୁନି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ସୁନା, ପଲଙ୍କ, ଛେଳି ମେଣ୍ଢା ଇତ୍ୟାଦି ଦେଇଥିଲେ। ଏହାପରେ ମଧ୍ୟ ରବିର ଯୌତୁକ ନିଶା ଉତୁରି ନଥିଲା। ସେ ପୁଣି କୁନିକୁ ଟଙ୍କା ଆଣିବାକୁ ଧମକ ଦେଇଥିଲା। ନଚେତ ଅନ୍ୟ ଧନୀ ଘରର ଝିଅକୁ ବାହା ହେବ ବୋଲି ଡରାଇଥିଲା।
ଇତି ମଧ୍ୟରେ ସେମାନଙ୍କର ଦୁଇଟି ପୁଅ ମଧ୍ୟ ଜନ୍ମ ହୋଇଥିଲେ। କୁନି ସବୁବେଳେ ସ୍ବାମୀର ନିର୍ଯାତନା ସହି ଆସୁଥିଲେ। କିନ୍ତୁ କେବେ ମଧ୍ୟ ବାପ ଘରକୁ ଜଣାଉନଥିଲେ। ପିଲାଙ୍କ ମୁହଁ ଦେଖି ସବୁ ସମ୍ଭାଳି ଯାଉଥିଲା ବୋଲି ଭାଇ ଅଭିଯୋଗ କରିଛି। ଏପରିକି ବରଜା ଗ୍ରାମରେ ଏକ ବୈଠକ କରାଯାଇ ବୁଝାସୁଝା କରାଯାଇଥିଲା। କିନ୍ତୁ ରବି କାହାରି କଥାକୁ ଶୁଣିନଥିଲା। ସେ ପତ୍ନୀକୁ ନିର୍ଯାତନା ଦେଇ ଆସୁଥିଲା।
ଚଳିତ ମାସ ୨ ତାରିଖରେ ବରଜା ଗ୍ରାମକୁ ପରିବାର ଲୋକେ ଆସି ବୁଲି ଦେଖିଲା ବେଳକୁ ସ୍ବାମୀ ତାଙ୍କ ଆଗରେ ପତ୍ନୀ କୁନିକୁ ମାରଧର କରିବା ସହ ଗାଳିଗୁଲଜ କରିଥିଲା। ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲା। ପରେ କୁନିଙ୍କ ପରିବାର ଲୋକେ ସେଠାରୁ ଚାଲିଯାଇଥିଲେ। ପରେ ଅପରାହ୍ନରେ ସ୍ବାମୀ ରବି କୁନିର ପରିବାର ଲୋକଙ୍କୁ ଖବର ଦେଇଥିଲା ଯେ ତାଙ୍କ ଝିଅ ମରିଯାଇଛି। ପରିବାର ଲୋକେ ପହଞ୍ଚି ଦେଖିଲା ବେଳକୁ କୁନିର ଦେହସାରା କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦାୟର କରିଥିଲେ।
ତେବେ ପୁଲିସ ରବି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ଏସିପଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରିଛନ୍ତି। ତୁରନ୍ତ ଅଭିଯୁକ୍ତ ରବିକୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି।
Malkangiri | Odisha | murder