ବାପା ଝିଅଙ୍କ ଝୁଲନ୍ତା ଶବ ଉଦ୍ଧାର

ହତ୍ୟା ଅଭିଯୋଗ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ରେ ଏକ ଘରୁ ବାପା ଝିଅଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇ ଏମ୍‌ଭି-୭୯ ଥାନାରେ ଏତଲା ଦିଆଯାଇଛି। ମୃତକ ଦୁଇଜଣ ହେଲେ ସପନ ସରକାର(୬୦) ଓ ଝିଅ ଅଂଜଳି ସରକାର(୩୫) ।

ଘଟଣାରୁ ପ୍ରକାଶ ଯେ ଏମଭି-୭୯ ଗ୍ରାମର ବାଲିମେଳା କଲୋନିରେ ଆନନ୍ଦ ମାଲାକାର ରୁହନ୍ତି। ଆନନ୍ଦଙ୍କ ପୁଅ ଆଶିଷ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମଭି-୧୧୪ ଗ୍ରାମର ସପନ ସରକାରଙ୍କ ଝିଅ ଅଂଜଳିଙ୍କୁ ୨ବର୍ଷ ତଳେ ବିବାହ କରିଥିଲେ। ଆଶିଷ ପୂର୍ବରୁ ୨ଜଣଙ୍କୁ ବିବାହ କରିଥିବା ବେଳେ ଅଞ୍ଜଳିଙ୍କୁ ତୃତୀୟ ବିବାହ କରିଥିବା ସୂଚନା ମିଳିଛି। ବିବାହ ପରଠାରୁ ଯୌତୁକ ଅର୍ଥକୁ ନେଇ ସ୍ୱାମୀ ଆଶିଷ ଓ ସ୍ତ୍ରୀ ଅଂଜଳି ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଆଶିଷଙ୍କ ପରିବାର ଏମଭି-୭୯ରେ ନ ରହି ମୁମ୍ବାଇରେ ରହୁଥିଲେ। ଗଣ୍ଡଗୋଳ କାରଣରୁ ସ୍ତ୍ରୀକୁ ମୁମ୍ବାଇକୁ ନ ନେଇ ବାପା ଘରେ ଛାଡ଼ି ଦେଇଆସିଥିଲେ ଆଶିଷ । ଫଳରେ ଆଶିଷର ଘରେ କେହି ରହୁନଥିଲେ। ଦୁଇଦିନ ପୂର୍ବେ ଅଂଜଳି ନିଜ ବାପାଙ୍କ ସହିତ ଏମଭି- ୭୯ରେ ଥିବା ଶାଶୂ ଘରକୁ ଆସି ରହିଥିଲେ।

ତେବେ ଆଜି ସକାଳୁ ଉଭୟଙ୍କ ଶବ ଘର ଭିତରେ ପଙ୍ଖାରେ ଝୁଲୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ବାପାଙ୍କ ଶବ ନିକଟରେ ବଂଗାଳୀ ଭାଷାରେ ଏକ ହାତଲେଖା ଚିଠି ପଡ଼ିଥିବା ବେଳେ ଝିଅର ଶବ ନିକଟରେ ଏକ ଓଡ଼ିଆ ଭାଷାରେ ହାତଲେଖା ଚିଠି ପଡିଥିବା ଦେଖିବାକୁ ମିଳିଥିଲା। ତେବେ ସେହି ଚିଠିରେ କ’ଣ ଲେଖାଅଛି ସେ ସଂପର୍କରେ ପୁଲିସ କିଛି କହିବାକୁ ମନା କରିଦେଇଥିଲା। ଅପରପକ୍ଷରେ ଅଂଜଳିର ଭାଇ ସୁଜୟ ସରକାର ଏମଭି-୭୯ ଥାନାରେ ଆଶିଷଙ୍କ ପରିବାର ଲୋକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ଏ ସଂପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଜଗଦୀଶ ବାରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର