ସୁଧୁରୁନି ମାଲକାନଗିରିରେ ବନ୍ୟା ପରିସ୍ଥିତି: ଲଗାଣ ବର୍ଷା ଜାରି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ମାଲକାନଗିରିବାସୀଙ୍କ ଜୀବନ ଅସ୍ତବ୍ୟସ୍ତ କରିଦେଇଛି। ମାଲକାନଗିରି ମୋଟୁ ଅଞ୍ଚଳରେ ସୁଧୁରୁନି ବନ୍ୟା ପରିସ୍ଥିତି। ୩ ଦିନ ଧରି ମୋଟୁ ଚିନ୍ତୁର ରାଜରାସ୍ତା ଜଳମଗ୍ନ ରହିଛି। ମୋଟୁ ମୁଗୁ ପଏଣ୍ଟ ଜଳମଗ୍ନ।

ଏଣେ ଚିନା ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ମୋଟୁ ଓ ଚିନ୍ତୁର ଭିତରେ ଜାତୀୟ ରାଜପଥ ଉପରେ ପାଣି ଚାଲୁଥିବା ହେତୁ ୩୨୬ନଂ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି। ଫଳସ୍ବରୂପ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ମୋଟୁ ଦେଇ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେବେ ମାଲକାନଗିରି ଜିଲ୍ଲା ଭିତରେ ଯାତାୟାତ ସ୍ବାଭାବିକ ରହିଥିବା ଜଣାଯାଇଛି।

ବର୍ଷା ଯୋଗୁଁ ବେହାଲ ସ୍ଥିତି ଉପୁଜିଛି। ପ୍ରଶାସନ ତରଫରୁ ସମସ୍ତ ବନ୍ୟା ଅଞ୍ଚଳରେ ରହୁଥିବା ଅଧିକାରୀମାନଙ୍କୁକ ଆଲର୍ଟ କରାଯିବା ସହ କିପରି ଲୋକଙ୍କୁ ଉଚିତ ଜାଗାରେ ଥଇଥାନ କରାଯିବା ସହ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ ସେନେଇ ଜିଲ୍ଲାପାଳ ସମସ୍ତ ବ୍ୟବସ୍ଥା ଦେଖୁଛନ୍ତି। କାଲିମେଳା ଓ ପଡିଆ ବ୍ଲକରେ ବିଶେଷ ଭାବେ ବହୁ କ୍ଷତି ହେଉଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର