୩କୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି/ବାଲିମେଳା : ମାଲକାନଗିରି ଜିଲ୍ଲା ଓର୍କେଲ ପୁଲିସ ଏବଂ ଏନସିବି ଭୁବନେଶ୍ୱର ମିଳିତ ଭାବେ ଚଢାଉ କରି ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୩ କୋଟି ହେବ। ସୂଚନା ଅନୁଯାୟୀ, ଆନ୍ଧ୍ରରୁ ଏକ ଟ୍ରକ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ମାଲକାନଗିରି ଦେଇ ଚୋରା ଚାଲାଣ ହେଉଥିବା ପୁଲିସକୁ ଖବର ମିଳିଥିଲା। ଏହାପରେ ପୁଲିସ୍‌ ଓ ଭୁବନେଶ୍ୱରର ନାର୍‌କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାରେ ଗାଡ଼ିକୁ ଅଟାକିଥିଲେ। ଭଲ ରୂପେ ଯାଞ୍ଚ କରିବାରୁ ଲୁଣ ବସ୍ତା ମଧ୍ୟରେ ଗଞ୍ଜେଇ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଗାଡ଼ିରୁ ମୋଟ ୫୪ଟି ବସ୍ତା ଗଞ୍ଜେଇ ବାହାରିଥିଲା। ଓଜନ କରିବାରୁ ୧୫୯୮ କିଲୋ ବୋଲି ଜଣାପଡିଥିବା ବେଳେ ବଜାର ଦର ପ୍ରାୟ ୩କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ପୁଲିସ ପୁଲିସ ଗାଡ଼ି ଡ୍ରାଇଭର ତଥା ଆନ୍ଧ୍ର ପ୍ରଦେଶର ମୋଗୀ ଭେଙ୍କେଟେସ୍ୱରଲୁ (୩୬) ଏବଂ ହେଲପର ଚାଣ୍ଟି ସୁରେଶଙ୍କୁ ଗିରଫ କରିଛି। ଦୁହେଁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ଅନ୍ତର୍ଗତ ଅଚୁତାପୁରମ ଅଞ୍ଚଳରୁ ଟ୍ରକରେ ଲୁଣ ସହ ଗଞ୍ଜେଇ ଭର୍ତି କରି ମହାରାଷ୍ଟ୍ରର ନାସିକ ଅଞ୍ଚଳକୁ ନେଉଥିଲେ ବୋଲି ପୁଲିସ୍‌ ନିକଟରେ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର