ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାରେ  ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଚୋରା ଚାଲାଣ ନିମନ୍ତେ ରଖାଯାଇଥିବା ଗଞ୍ଜେଇକୁ ଗତକାଲି ରାତ୍ରିରେ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ।

Advertisment

ସୂଚନା ଅନୁଯାୟୀ କୌଣସି  ବିଶ୍ବସ୍ତ ସୂଚନା ଆଧାରରେ ଚିତ୍ରକୋଣ୍ଡା ପୁଲିସ ଚିତ୍ରକୋଣ୍ଡା ବ୍ଲକ କପାତୁଟି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ କପାତୁଟି ପଞ୍ଚାୟତର ଭାଲୁଗୁଡ଼ା ଜଙ୍ଗଲରେ ଚଢ଼ଉ କରିଥିଲା। ଦୂରରୁ ପୁଲିସକୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଛାଡ଼ି ଜଙ୍ଗଲ ଭିତରକୁ ପଳାୟନ କରିଥିଲେ।

publive-image

ପୁଲିସ ଘଟଣାସ୍ଥଳରୁ ଜରି ବସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ଜବତ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲା। ସେସବୁ ଗଞ୍ଜେଇକୁ ଓଜନ କରାଯିବା ପରେ ତାହା ୨ ଟନ ୫୦୦ କେଜି ଥିବା ଓ ତାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପଚାଶ ଲକ୍ଷ ହେବ ବୋଲି ଆକଳନ କରାଯାଇଥିବା ବେଳେ କୌଣସି ଆସାମୀ ଧରା ପଡିନଥିବା ଚିତ୍ରକୋଣ୍ଡା ଆଇ ଆଇ ସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି।

ଆସାମୀମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୁଲିସ ପହଞ୍ଚିବା ଦେଖି ଆସାମୀ ଘଟଣାସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର ହୋଇ ଯାଇଥିଲେ। ବର୍ତ୍ତମାନ ଚିତ୍ରକୋଣ୍ଡା ପୁଲିସ କାହାର ଗଞ୍ଜେଇ ଓ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ଅଧିକା ଛାନଭିନ୍ ଆରମ୍ଭ କରିଛି।ଏନେଇ ସୂଚନା ଦେଇଛନ୍ତି ଥାନାଧିକାରୀ ମୁକୁନ୍ଦ ମେଲକା।