ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଜଙ୍ଗଲରେ ଚୋରା ଚାଲାଣ ନିମନ୍ତେ ରଖା ଯାଇଥିବା ଗଞ୍ଜେଇକୁ ଗତକାଲି ରାତ୍ରିରେ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ । ସୂଚନା ଅନୁଯାୟୀ କୌଣସି ଏକ ବିଶ୍ବସ୍ତ ସୂଚନା ଆଧାରରେ ଚିତ୍ରକୋଣ୍ଡା ପୁଲିସକୁ ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର ପଞ୍ଚାୟତ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ବଡ଼ପଦର ପଞ୍ଚାୟତର ସଙ୍ଗମାଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଡାଉ କରିଥିଲା । ଦୂରରୁ ପୁଲିସକୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଛାଡ଼ିଡି ଜଙ୍ଗଲ ଭିତରକୁ ପଳାୟନ କରିଥିଲେ।

Advertisment

ପୁଲିସ ସେଇ ଘଟଣାସ୍ଥଳରୁ ୮୫ଟି ଜରି ବସ୍ତାରେ ଭର୍ତ୍ତି ହୋଇ ରହିଥିବା ଗଞ୍ଜେଇକୁ ଜବତ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲା। ସେ ସବୁ ଗଞ୍ଜେଇକୁ ଓଜନ କରାଯିବା ପରେ ତାହା ୨ ଟନ ୧୫୨ କେଜି ଥିବା ଓ ତାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପନ୍ଦର ଲକ୍ଷ ହେବ ବୋଲି ଆକଳନ କରାଯାଇଥିବା ବେଳେ କୌଣସି ଆସାମୀ ଧରା ପଡିନଥିବା ଚିତ୍ରକୋଣ୍ଡା ଆଇ ଆଇ ସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି। ଆସାମୀମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୋଲିସ ପହଁଚିବା ଦେଖି ଆସାମୀ ଘଟଣା ସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର ହୋଇ ଯାଇଥିଲେ। ବର୍ତ୍ତମାନ ଚିତ୍ରକୋଣ୍ଡା ପୁଲିସ କାହାର ଗଞ୍ଜେଇ ଓ କେଉଁମାନେଏଥିରେ  ସମ୍ପୃକ୍ତ ଅଛନ୍ତି ତାହା ଉପରେ ଅଧିକ ତଦନ୍ତ ଆରମ୍ଭ କରାଯିବା ନେଇ ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ଥାନାଧିକାରୀ।