ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ପ୍ରଚୁର ଗଞ୍ଜେଇ ଚାଷ କରାଯାଉଥିବା ନେଇ ଅବକାରୀ ବିଭାଗ ଜାଣିବା ପରେ ଗଞ୍ଜେଇ ଗଛକୁ ନଷ୍ଟ କରିବା ପାଇଁ ଡ୍ରୋନର ସହଯୋଗ ନେଇଥିଲା। ଅବକାରୀ କମିସନର ଏବଂ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା ଥାନା ଅଂଚଳର ବଡ଼ପଦର, ଫୁଲପଦର, ଆରଏସସି-୧୫, ଗଡ଼ବନ୍ଧ ଭଳି ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମଗୁଡ଼ିକରେ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି।

Advertisment

୪୨ ଏକର ଜମିରେ ଲାଗିଥିବା ୬୫,୪୦୦ ଗଛକୁ ନଷ୍ଟ କରାଯାଇଥିବା ଅବକାରୀ ଅଧିକ୍ଷକ ଅରୁଣ ପାଢୀ ପ୍ରକାଶ କରିଥିଲେ। ସ୍ବାଭିମାନ ଅଂଚଳରେ ପୁଲିସ କିମ୍ବା ଅବକାରୀ ବିଭାଗ ପହଞ୍ଚି ପାରୁନଥିବାରୁ ବେଧଡକ ଭାବେ ଏଠାରେ ଗଂଜେଇ ଚାଷ କରାଯାଉଛି।  ଏବେ ସୁରକ୍ଷାକୁ କଡାକଡି କରାଯାଇଥିବାରୁ ଅବକାରୀ ବିଭାଗ କେଉଁ କେଉଁ ଠାରେ ଗଞ୍ଜେଇ ଚାଷ କରାଯାଉଛି ତାହା ଜାଣିବା ପାଇଁ ଡ୍ରୋନର ସହଯୋଗ ନେଇଥିଲେ। ଡ୍ରୋନ ସାହାଯ୍ୟରେ ସ୍ପଟଗୁଡିକ ଜାଣିବା ପରେ ବିଭାଗର କର୍ମଚାରୀମାନେ ସେହି ଅଂଚଳରେ ଚଢାଉ କରିଥିଲେ। ଯାହାଫଳରେ ୬ କୋଟିରୁ ଉର୍ଦ୍ଧ୍ବ ଟଂକାର ଗଂଜେଇ ଗଛକୁ ନଷ୍ଟ କରାଯାଇପାରିଛି। ଆଗକୁ ମଧ୍ୟ ଡ୍ରୋନର ସହାୟତା ନିଆଯିବ ବୋଲି ଶ୍ରୀ ପାଢୀ ପ୍ରାକଶ କରିଛନ୍ତି।

publive-image

ସ୍ବାଭିମାନ ଅଂଚଳରୁ ସଂପୂର୍ଣ୍ଣ ଭାବେ ଗଂଜେଇ ଚାଷକୁ ମୂଳପୋଛ କରିବା ସହ ସ୍ଥାନୀୟଲୋକଙ୍କୁ ପାରଂପାରିକ ଚାଷ ଏବଂ ଲାଭଜନକ ଚାଷ ଉପରେ ଗୁରୁତ୍ବ ଦେବାକୁ ସଚେତନ କରାଯିବା ସହ ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବାର ପ୍ରତିଶ୍ରୁତି ଦିଆଯିବ। ଯାହାଫଳରେ ବେଆଇନ ଗଞ୍ଜେଇ ଚାଷରୁ ଲୋକେ ବିମୁଖ ହୋଇ ଅନ୍ୟ ଚାଷ ଉପରେ ଧ୍ୟାନ ଦେବେ। ଅବକାରୀ ବିଭାଗ ଏହି ଚଢାଉ ଜାରି ରଖିବା ସହ ଏକ ସ୍ବଚ୍ଛ ବାତାବରଣ ତିଆରି କରିବାକୁ ଏକ ପ୍ରୟାସ ଆରମ୍ଭ କରିଛି। ତେବେ ଏହି ପ୍ରୟାସ ଆଗାମୀ ଦିନରେ କେତେ ଫଳପ୍ରଦ ହେବ ଦେଖିବାକୁ ବାକି ରହିଲା।