ମାଲକାନଗିରି: ଝିଅ ଜନ୍ମ ହେଲା, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରି। ହେଲେ ଝିଅ ଜନ୍ମ ପରେ ଜେଜେ ମା‘ଙ୍କ ଠାରୁ ନବଜାତକୁ ଚିକିତ୍ସା ହେବ କହି କିଛି ସ୍ୱାସ୍ଥ୍ୟକର୍ମୀ ନେଇ ଯାଇଥିବା ବେଳେ ଆଉ ଶିଶୁ କନ୍ୟାକୁ ଫେରାଉ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ବେଳେ ଲିଖିତ ଅଭିଯୋଗ ଆସିଲେ ଏହାର ଉଚିତ ତଦନ୍ତ କରିବୁ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ।

Advertisment

ଅଭିଯୋଗ ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲ୍ଲୀ ଗ୍ରାମର ଲଚୁ କବାସୀଙ୍କ ସ୍ତ୍ରୀ ଆଡମେ ପଡିଆମୀ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ମାଥିଲି ସ୍ଵାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ। ସେଠାରୁ ଆଡମେଙ୍କୁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଗତ ଜୁଲାଇ ୧୮ ତାରିଖ ଅପରାହ୍ନ ସମୟରେ ଆଡମେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ତେବେ ଆଡମେଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କ ଶାଶୁ ବାଣ୍ଡୀ କବାସୀଙ୍କୁ କିଛି ମହିଳା ସ୍ୱାସ୍ଥ୍ୟ କର୍ମୀ ନବଜାତକୁ ଧରାଇ ନାହି କାଟିବା ପରେ ଶିଶୁ କନ୍ୟାକୁ ସ୍ୱାସ୍ଥ୍ୟ କର୍ମୀ ଭିତରକୁ ନେଇଯାଇଥିଲେ। ତେବେ ଏହି ସମୟରେ ଶିଶୁ କନ୍ୟାଟି କାନ୍ଦୁ ଥିଲା ବୋଲି କହିଛନ୍ତି ଆଡମେଙ୍କ ଶାଶୁ। ଏହାରି ମଧ୍ୟରେ କିଛି ଦିନ ଚିକତ୍ସା ପରେ ମା‘ ଆଡମେ ସୁସ୍ଥ ହେବା ପରେ ଛୁଆ କୁଆଡେ ଗଲା ବୋଲି ପଚାରିବା ତାଂକ ସ୍ୱାମୀ ଲଚୁ କବାସୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶିଶୁ କନ୍ୟା ମାଗିବା ବେଳକୁ ଛୁଆଟି ମରି ଯାଇଥିବା କହିଥିବାରୁ ସେ ଛୁଆ ମୃତଦେହ ମାଗିଥିଲେ।

ତେବେ ସେଠାରେ ସ୍ୱାସ୍ଥ୍ୟ କର୍ମୀ ଲଚୁଙ୍କୁ ଧମକ ଦେବା ସହ କେସ କରିବି କହିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରିଦେଇଥିବା ଅଭିଯୋଗ କରିଛନ୍ତି ଲଚୁ। ଘଟଣାକୁ ପ୍ରାୟ ୨ ମାସ ହୋଇଥିବା ବେଳେ ଏନେଇ ଲଚୁ ଆଜି ସୁଦ୍ଧା କାହା ନିକଟରେ ଅଭିଯୋଗ କରି ନଥିବା ଓ ଚୁପ ରହିଥିବା ପଛରେ କଣ କାରଣ ରହିଛି ତାହା ଯଦିଓ ସ୍ପଷ୍ଟ ହୋଇନାହିଁ। ତେବେ ଛୁଆ ବଂଚିଛି ନା ମରିଯାଇଛି ସେନେଇ ସେ  ଚିନ୍ତିତ ଓ ମାନସିକ ସ୍ତରରେ ଆଘାତ ପାଇଥିବା ଅଭିଯୋଗ କରିଛନ୍ତି।

 ଗରିବ ପରିବାରକୁ ନ୍ୟାୟ ଦିଆଯାଉ ଏବଂ ଘଟଣାର ସତ୍ୟତା ସାମ୍ନାକୁ ଆସୁ ବୋଲି ସେ ଦାବି କରିଛନ୍ତି। ଏନେଇ ପରିବାର ଲୋକେ ଆଜି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦେଶ୍ୟରେ ଘଟଣାର ତଦନ୍ତ ପାଇଁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ତେବେ ଘଟଣା ବିଷୟରେ ଆମେ ମେଡିକାଲର ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ. ବ୍ରଜବନ୍ଧୁ ଦାସଙ୍କୁ ଯୋଗଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା। ପରିବାର ଲୋକେ ଏନେଇ ଯଦି ଲିଖିତ ଅଭିଯୋଗ କରିଛନ୍ତି ତେବେ ଆମେ ନିଶ୍ଚିତ ଘଟଣାର ତଦନ୍ତ କରି ପଦକ୍ଷେପ ନେବୁ। ତେବେ ଏସବୁ ମଧ୍ୟରେ ପ୍ରକୃତରେ ଲଚୁ ଓ ତାଙ୍କ ପରିବାରଙ୍କ ଅଭିଯୋଗ କେତେ ସତ, ଘଟଣା ଯଦି ସତ ତେବେ ଏପରି କାଣ୍ଡ ପଛରେ କାହାର ହାତ ଅଛି, ଏସବୁକୁ ନେଇ ଏକ ବଡ ତଦନ୍ତର ଆବଶ୍ୟକତା ରହିଛି ସାଧାରଣରେ ମତ ପ୍ରକାଶ ପାଇଛି।

 Malkangiri | Health

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା