ହାର୍ଡକୋର ମାଓ ଦଂପତିଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ପୁଲିସ ନିକଟରେ ଦୁର୍ଦାନ୍ତ ମାଓ ଦଂପତିି ଆତ୍ମସମର୍ପଣ କରିଛନ୍ତି।ଏହି ଦୁଇ ଜଣ ହେଲେ ବିଜଲ କାଡମେ(୨୬) ଓ ସୋନୀ ଅୟାମ(୨୩)।ଏହି ଦଂପତି ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ଗାଂଗଲୁର ଥାନା ଅଂଚଳର ପେଦାକାରମେ ଗ୍ରାମର ବାସିନ୍ଦା। ଗତ ୨୦୦୮ ମସିହାରୁ ମାଓ ସଂଗଠନରେ ଜଡିତ ହୋଇ କାମ କରିଆସୁଥିଲେ। ପ୍ରଥମେ ଗାଂଗଲୁର ଏଲଓସିରେ ସଦସ୍ୟ ରୂପେ କାମ କରିବା ପରେ ଦ୍ୱିତୀୟ ସିଆରସି ଭାବେ କାମ କରୁଥିଲେ। ତେବେ ବିଜଲ କାଡମେ ଗତ ୨୦୧୨ ମସିହାରେ ପୁଲିସ ଦ୍ୱାରା ଗିରଫ ହୋଇ ଚାରି ବର୍ଷ ଜେଲରେ ରହିଥିଲା। ପୁଣି ଜେଲରୁ ଖଲାସ ହେବା ପରେ ମାଓ ସଂଗଠନର ନେତାଙ୍କ ଆହ୍ଵାନକ୍ରମେ ପୁଣି ସଂଗଠନରେ ସାମିଲ ହୋଇଥିଲା।

ଏହି ଦୁଇ ମାଓବାଦୀ ଗତ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଏମାନଙ୍କ ନାମରେ ଓଡିଶା ସରକାର ୨ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିବା ଜଣାପଡିଛି। ନକ୍ସଲ ସଂଗଠନ ନୀତି, ଆଦର୍ଶ ଠାରୁ ଦୂରେଇ ଯାଇ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛି। ସଂଗଠନରେ ଭେଦଭାବ ଏବଂ ଆନ୍ଧ୍ର କ୍ୟାଡରଙ୍କ ଦବଦବା ଯୋଗୁଁ ସେମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ ବୋଲି ବିଜଲ କହିଛି। ସପି ଜଗମୋହନ ମୀନା ଏବଂ ବିଏସଏଫ କମାଣ୍ଡାଣ୍ଟ ଉପସ୍ଥିତ ରହି ଆଗାମୀ ଦିନରେ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଏହି ମାଓ ଦଂପତି ବହୁ ନକ୍ସଲ ହିଂସାରେ ଜଡ଼ିତ ଥିଲେ।

ମାଓବାଦୀ ବିଜଲ ଗତ ୨୦୦୯ ଫେବ୍ରୁଆରି ୨୨ ତାରିଖ ଦିନ ଗୋବିନ୍ଦପାଲ୍ଲୀ ଆଉଟପୋଷ୍ଟକୁ ବୋମା ଲଗାଇ ଉଡାଇବା ଘଟଣା ସହିତ ଗୋବିନ୍ଦପାଲ୍ଲୀର ପି.କେ.ସ୍ୱାଇଁକୁ ହତ୍ୟା,ମୋବାଇଲ ଟାୱାର ପୋଡି, ୨୦୦୯ ଏପ୍ରିଲରେ ଦାମନଯୋଡି ଖଣି ଉପରେ ଆକ୍ରମଣ,ଚିନ୍ତାଲନାରେ ଆମ୍ବୁସ ଲଗାଇ ୭୬ ଜଣ ସିଆରପିଏଫ ହତ୍ୟା କରିବା ଘଟଣା,୨୦୧୨ ମସିହା ଜାନୁଆରିରେ କନ୍ଧମାଳରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା, ସିଲେରୁର ଦାରୁକୋଣ୍ଡା ଟାୱାର ଉଡାଇବା, ଚଳିତ ବର୍ଷ କିଷ୍ଟାଭରମରେ ପୋଲିସ ଉପରେ ଆକ୍ରମଣ କରିବା,୨୦୧୭ ମେ ମାସରେ ରାଲଗେଡାରେ ଜଣେ ହୋମଗାର୍ଡକୁ ପ୍ରେସର ବୋମାରେ ଉଡାଇବା ଭଳି ଘଟଣାରେ ସାମିଲ ଥିବା ପୋଲିସ କହିଛି। ସେହିପରି ସୋନୀ ଅୟାମ ଦୋରୁକୋଣ୍ଡା ଟାୱାର ବ୍ଲାଷ୍ଟିଂ,କାଲିମେଳା ବ୍ଲକର ସୁଧାକୋଣ୍ଡା ଗ୍ରାମର ବିଷୁ କିରସାନି ଏବଂ ରାମା ମାଡକାମୀକୁ ହତ୍ୟା , କାଲିମେଳାର ଏଲକାନୁରରେ ପୋଲିସ ଉପରେ ଆକ୍ରମଣ କରିବା,ଆନ୍ଧ୍ରପ୍ରଦେଶର ପୁରନାପାଡା ଅଂଚଳରେ ପୁଲିସ ଉପରେ ଆକ୍ରମଣ, ସୁନାବେଡାର କୁନ୍ଦାନଝରୀ ଗ୍ରାମରେ ପୋଲିସ ଉପରେ ଆକ୍ରମଣ, ,କନ୍ଧମାଳ ଓ କଳାହାଣ୍ଡି ସୀମାରେ ପୁଲିସ ଉପରେ ଆକ୍ରମଣ,୨୦୧୧ ରେ କୋରାପୁଟରେ ବୋମା ବିସ୍ଫୋରଣକରି ୪ ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବା ଘଟଣାରେ ସାମିଲ ଥିବା ପୋଲିସ କହିଛି।

ସମ୍ବନ୍ଧିତ ଖବର