କମ୍ବିଂ ବେଳେ ସୁରକ୍ଷା କର୍ମୀଙ୍କ ଖାଦ୍ୟ ବିସ୍କୁଟ ଓ ମ୍ୟାଗି

ମାଲକାନଗିରି: ମାଲକାନଗିରି ଏବଂ ସୀମାନ୍ତ ଛତିଶଗଡ, ଆନ୍ଧ୍ର ଏବଂ ତେଲେଙ୍ଗାନାରେ ନକ୍ସଲଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢୁଛି। ତେଣୁ ସରକାର ଏବଂ ସୁରକ୍ଷା କର୍ମୀ ଦମନ ପାଇଁ ରଣନୀତି ପ୍ରସ୍ତୁତ କରି ସଜାଗ ରହିଛନ୍ତି। ତଥାପି ଦୁର୍ଗମ ଅଞ୍ଚଳରେ ଅଭିଯାନରେ ସାମିଲ ହୋଇଥିବା ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ବିପଦର ସାମ୍ନା କରିବାକୁ ପଡିଥାଏ। କେତେବେଳେ ନକ୍ସଲ ଆମ୍ବୁସରେ ଫସିଯାଉଥିବା ବେଳେ ଆଉ କେତେବେଳେ ଲ୍ୟାଣ୍ଡମାଇନର ଶିକାର ହୋଇ ସହିଦ ହେଉଛନ୍ତି। ତଥାପି ସୁରକ୍ଷା କର୍ମୀଙ୍କ ଉପରେ ଏହାର ପ୍ରଭାବ ପଡୁନାହିଁ। ଉଚ୍ଚ ମନୋବଳ ରଖି ଯେତେବେଳେ ସର୍ଚ୍ଚ ଅପରେସନ ପାଇଁ ଜଂଗଲ ଭିତରକୁ ଯାଉଛନ୍ତି ପ୍ରାୟ ତିନି ଚାରି ଦିନ ଧରି ଜଙ୍ଗଲ ଭିତରେ ରହୁଛନ୍ତି। ଯଦି ପୂର୍ବରୁ ଗୋଇନ୍ଦା ସୂଚନା ମିଳିଥାଏ, ତେବେ ଅପରେସନକୁ ଆହୁରି ଜୋରଦାର କରାଯାଇଥାଏ। ଏଭଳି ପରିସ୍ଥିତିରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ବେଳେ ଭୋକ ମେଣ୍ଟାଇବା ପାଇଁ ସାଥିରେ ମ୍ୟାଗି କିମ୍ବା କୌଣସି ଶୁଖିଲା ଜିନିଷ ଧରିଥାନ୍ତି। ଯାହାକୁ କି ଅଳ୍ପ ସମୟ ମଧ୍ୟରେ ରାନ୍ଧି ଖାଇଥାନ୍ତି।

ତେଣୁ ସାଥିରେ କର୍ପୁର ଏବଂ କିଛି ଷ୍ଟିଲ୍‌ ବାସନ ଧରିଥାନ୍ତି। କିଛି ସମୟ ମଧ୍ୟରେ କର୍ପୁରରେ ନିଆଁ ଲଗାଇ ଦୁଇ ମିନଟ ମଧ୍ୟରେ ମ୍ୟାଗି ରାନ୍ଧି ଖାଇଥାନ୍ତି। ସମୟ ନମିଳିଲେ ବିସ୍କୁଟ ଖାଇ ଭୋକ ମେଣ୍ଟାଇବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଏହି ସମୟ ସୁରକ୍ଷା କର୍ମୀଙ୍କ ପାଇଁ ସବୁଠାରୁ ବିପଦ ହୋଇଥାଏ। କୌଣସି ମୁହୂର୍ତ୍ତରେ ଆକ୍ରମଣ ହେବାର ଭୟ ରହିଥାଏ। ଦୁଇ କିମ୍ବା ତିନି ଜଣ ଲେଖାଏଁ ଖାଇବା ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ଅନ୍ୟମାନେ ସୁରକ୍ଷା ପ୍ରଦାନ କରିଥାନ୍ତି। ଏଭଳି ଖାଦ୍ୟ ଖାଇ ରାତି ସାରା କୁମ୍ବିଂ କରିଥାନ୍ତି। ରାତିରେ ଜଙ୍ଗଲ ଭିତରେ ହିଁ ସେମାନଙ୍କୁ ଶୋଇବାକୁ ପଡିଥାଏ। ତେଣୁ ଅନେକ ସମୟରେ ସୁରକ୍ଷା କର୍ମୀ ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି। ସୁରକ୍ଷା କର୍ମୀଙ୍କ କଷ୍ଟ ଓ ସଂଘର୍ଷ ନଦେଖିଲେ ବିଶ୍ୱାସ କରି ହୁଏ ନାହିଁ। ବହୁ ପରିଶ୍ରମ କରିବା ସହ ଭୋକ ଉପାସରେ ସେମାନେ ସୁରକ୍ଷା ପ୍ରଦାନ କରିଥାନ୍ତି।

ଏଥିପାଇଁ ସେମାନେ କଠୋର ତାଲିମ ନେବା ସହ ଏଭଳି ପରିସ୍ଥିତିରେ କିଭଳି କାମ କରିବେ ସେନେଇ ମଧ୍ୟ ପ୍ରସ୍ତୁତ ରହିଥାନ୍ତି। ତେବେ ମାଲକାନଗିରି ତଥା ପଡୋଶୀ ତିନି ରାଜ୍ୟର ସୁରକ୍ଷା କର୍ମୀ ନକ୍ସଲ ଦମନ ନେଇ ଅନେକ ପରିସ୍ଥିତିର ସାମ୍ନା କରୁଥିବାରୁ ପ୍ରଶଂସାର ପାତ୍ର ହୋଇଛନ୍ତି। ଏମାନଙ୍କର ବି ପରିବାର ରହିଛି, ସୁଖଦୁଃଖ ରହିଛି, କିନ୍ତୁ ଏସବୁ ଛାଡି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ହେଉଛି ଏମାନଙ୍କର ମୁଖ୍ୟ ଲକ୍ଷ୍ୟ। ଜୀବନକୁ ପାଣି ଛଡାଇ ଅନବରତ ନକ୍ସଲଙ୍କ କବଳରୁ ଜିଲ୍ଲା ତଥା ପଡୋଶୀ ରାଜ୍ୟକୁ ସୁରକ୍ଷା ପ୍ରଦାନ କରୁଛନ୍ତି। ସମସ୍ତଙ୍କ ସହଯୋଗ ଏମାନଙ୍କୁ ଆବଶ୍ୟକ ବୋଲି ଏମାନେ କୁହନ୍ତି।

ସମ୍ବନ୍ଧିତ ଖବର