ଶୋଭାଯାତ୍ରାରେ ନାଚିଲେ ଲୋକ ପ୍ରତିନିଧି

ମାଥିଲି: ମାଥିଲି ବ୍ଲକ ସଦର ମହକୁମାରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ। ପାରମ୍ପରିକ ବାଦ୍ୟ ଓ ମହୁରୀର ତାଳେତାଳେ ନାଚଗୀତରେ ନାଚି ଉଠିଥିଲେ ଅଞ୍ଚଳବାସୀ। ସମସ୍ତେ କାନ୍ଧରେ କାନ୍ଧ ମିଶାଇ ଢେମସା ନାଚ କରିଥିଲେ। ନାଚ ଓ ଗୀତରେ ଦୁଲୁକି ଉଠିଥିଲା ସମଗ୍ର ମାଥିଲି ସଦର ମହକୁମା। ବ୍ଲକ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ମାଥିଲି ସମେତ ଦୁର୍ଗମ ଅଞ୍ଚଳବାସୀ ସାମିଲ ହୋଇଥିଲେ। ପ୍ରଥମେ ମାଥିଲି ଥାନା ପରିସରରେ ଥିବା ମା’ ଭୈରବୀଙ୍କ ପୀଠରୁ ପୂଜାର୍ଚନା କରାଯାଇ କଳସ ପ୍ରତିଷ୍ଠା କରାଯାଇଥିଲା। ପରେ କଳସରେ ଜଳ ସଂଗ୍ରହ କରାଯାଇ ଶୋଭାଯାତ୍ରାରେ ସମସ୍ତେ ମାଥିଲି ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ଯୋଗ ଦେଇ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ଆଦିବାସୀ ଗୀତ ଓ ବାଦ୍ୟର ତାଳେତାଳେ ନାଚିବାକୁ ଦେଖିବାକୁ ମିଳିଥିଲା। ବିଧାୟକ ନାଚିବା ଦେଖି ବ୍ଲକ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ନାଚିଥିଲେ। ଏପରିକି କିଛି ସାମ୍ବାଦିକ ମଧ୍ୟ ଲୋକଙ୍କୁ ଉତ୍ସାହିତ କରିବା ନିମନ୍ତେ ନାଚିଥିଲେ। ଶୋଭାଯାତ୍ରା ମଝିରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କପେ, କୁଶ ତାତି, ମାଥିଲି ସରପଞ୍ଚ ଗୌରୀ ବଟେ ପ୍ରମୁଖଙ୍କ ସମେତ ସାଧାରଣ ଜନତା ଢେମସା ନୃତ୍ୟରେ ମଜ୍ଜି ଯାଇଥିଲେ।
ଶୋଭାଯାତ୍ରା ହାଟପଦା ସାହି ସ୍ଥିତ ଖେଳ ପଡିଆରେ ପହଞ୍ଚିବା ପରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ ହୋଇଥିଲା। ମାଥିଲି ବିଡିଓ ଅଗସ୍ତି ପ୍ରଧାନଙ୍କ ସଭାପତିତ୍ୱବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କପେ, କୁଶ ତାତି, ସଭ୍ୟା ଶାନ୍ତିଲତା ମାଝୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅଞ୍ଚଳର ଲୁକ୍କାୟିତ ଆଦିବାସୀ କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ନିମନ୍ତେ ମାଲ୍ୟବନ୍ତ ମହୋତ୍ସବ ଏକ ମାଧ୍ୟମ ବୋଲି ଅତିଥିଗଣ କହିଥିଲେ। ଏହି ମହୋତ୍ସବରେ ସମସ୍ତେ ସାମିଲ ହୋଇଥିବାରୁ ଅଞ୍ଚଳବାସୀଙ୍କୁ ଅତିଥି ମାନେ ଧନ୍ୟବାଦ ଦେଇଥିଲେ। ପରେ ଚଇତି ମଞ୍ଚରେ ମାଥିଲି ବ୍ଲକର ୩୯ଟି ନୃତ୍ୟ ଦଳ ନିଜ କଳା ପ୍ରଦର୍ଶନ କରିଥିଲେ। ମାଥିଲି ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଢେମସା ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମରେ ଡବ୍ଲୁଇଓ ଶଶିକାନ୍ତ ସାମନ୍ତରାୟ, ସାମ୍ବାଦିକ ମହମ୍ମଦ ଆକବର, ସିଆରସିସି ଜୟନ୍ତ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏସଏସଓ ଜ୍ୟୋତ୍ସ୍ନାରାଣୀ ପାତ୍ର, ମାଥିଲି ସରପଞ୍ଚ ଗୌରୀ ବଟେ, ଦଳପତିଗୁଡା ସରପଞ୍ଚ ଡମୁ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସଭା ଶେଷ ହେବା ପରେ ବିଭିନ୍ନ ବିଭାଗ ଓ ଏସଏଚଜିଙ୍କ ପକ୍ଷରୁ ପଡିଆରେ ଖୋଲାଯାଇଥିବା ଷ୍ଟଲ ଗୁଡିକୁ ଅତିଥିଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା।

ସମ୍ବନ୍ଧିତ ଖବର