ଇନ୍ଦିରା ଆବାସ ଅର୍ଥ ଗିଳିଦେଲା ଦଲାଲ:ପାଇଖାନାରେ କଟୁଛି ଜୀବନ

ମାଲକାନଗିରି: ବାସହୀନଙ୍କୁ ପକ୍କା ଘର ଯୋଗାଇବାକୁ ଅଛି ଇନ୍ଦିରା ଆବାସ ଯୋଜନା। ଏହି ଯୋଜନାରେ ଘର କରିବାକୁ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାର ଘାସିରାମ ପାଙ୍ଗି (୬୦)ଙ୍କୁ ମିଳିଥିଲା କାର୍ଯ୍ୟାଦେଶ। ନିଜେ ଘର ନିର୍ମାଣ କରିବାକୁ ସମର୍ଥ ନହେବାରୁ ଜଣେ ମଧ୍ୟସ୍ଥିଙ୍କ ସହାୟତା ନେଇଥିଲେ। ହେଲେ କେବଳ ଫାଉଣ୍ଡେସନ୍‌ ପକାଇ ଇନ୍ଦିରା ଆବାସ ବାବଦ ସମସ୍ତ ଅର୍ଥକୁ ଗଳିଦେଲେ ମଧ୍ୟସ୍ଥି। ଫଳରେ ଭଙ୍ଗା ଦଦରା ଘରେ କାଳ କାଟିଲେ। ସୌଭାଗ୍ୟକୁ ପରେ ତାଙ୍କୁ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଲା ପାଇଖାନା। ଏବେ ସେହି ପାଇଖାନାରେ ହିଁ ମୁଣ୍ଡ ଗୁଞ୍ଜିଛନ୍ତି ଘାସିରାମ। ଏହି ବିଷୟ ଜଣାପଡିବା ପରେ ଆଜି ବ୍ଲକ ସହକାରୀ ଯନ୍ତ୍ରୀ ଯାଇ ତଦନ୍ତ କରିଛନ୍ତି।
ମାଲକାନଗିରି ଜିଲ୍ଲାର ପଡିଆ ସଦର ମହକୁମା ଠାରୁ ମାତ୍ର ୫ ଶହ ମିଟର ଦୂର ରାସ୍ତା କଡରେ ସ୍ୱଛ ଭାରତ ମିଶନ ଯୋଜନାରେ ନିର୍ମିତ ହୋଇଛି ପାଇଖାନା ଗୃହରେ। ହେଲେ ପାଇଖାନାକୁ ବାସଗୃହ ଭଳି ବ୍ୟବହାର କରୁଛନ୍ତି ବୃଦ୍ଧ ଘାସିରାମ। ତାଙ୍କ ପରିବାରର କେହି ନଥିବାରୁ ନିଃସଙ୍ଗ ଜୀବନ କାଟୁଛନ୍ତି ଘାସିରାମ। ସେ କହନ୍ତି ଗରିବ ହୋଇଥିବାରୁ ସରକାରଙ୍କ ତରଫରୁ ଗତ ୨୦୦୯-୧୦ ମସିହାରେ ଇନ୍ଦିରା ଆବାସ ଗୃହ ମିଳିଥିଲା। ଘର ମିଳିବା ଜାଣିବା ପରେ ବହୁତ ଖୁସି ହୋଇଥିଲି। ଭଙ୍ଗା କୁଡିଆ ବଦଳରେ ପକ୍କା ଇନ୍ଦିରା ଆବାସରେ ଶେଷ ଜୀବନ ବିତାଇବେ ବୋଲି ସ୍ୱପ୍ନ ଦେଖିଥିଲି। ନିଜେ ଘର ନିର୍ମାଣ ପାଇଁ ଅସମର୍ଥ ଥିବାରୁ ଜଣେ ମଧ୍ୟସ୍ଥି କେ. ଲାଛମେୟାଙ୍କ ସହଯୋଗ ନେଲି। ହେଲେ ଫାଉଣ୍ଡେସନ ପରେ ଆଉ କାମ ଆଗକୁ ବଢିଲେ ନାହିଁ। ବହୁବାର ଘର ସଂପୂର୍ଣ୍ଣ କରିବାକୁ ନେହୁରା ହୋଇଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଲା। ପରେ ଜାଣିବାକୁ ପାଇଲି ଯେ ସମସ୍ତ ଟଙ୍କା ହଡ଼ପ ହୋଇଯାଇଛି ବୋଲି ଘାସିରାମ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘାସିରାମ ବୟସର ଅପରାହ୍ନରେ ପହଞ୍ଚି ଯାଇଥିବା ବେଳେ ପୂର୍ବଭଳି ଆଉ କାମ କରିପାରୁନାହିଁ। ଭତ୍ତା ଟଙ୍କା ଯାହା ମିଳେ ସେଥିରୁ ସେ ଚଳିବା କଷ୍ଟ ହେଉଛି। ତେଣୁ କେତେକ ତାଙ୍କୁ ସହଯୋଗର ହାତ ବଢାଉଥିବା ସେ କହିଥିଲେ। ଏପଟେ ଘର ନିର୍ମାଣ ହୋଇପାରୁନଥିବା ବେଳେ ସେପଟେ ନିଜର କୁଡିଆ ଘର ମଧ୍ୟ ଭାଙ୍ଗିଗଲା।

ଦିନେ ଖାଇଲେ ଦୁଇ ଦିନ ଉପବାସ ରହୁଥିବା ଘାସିରାମ ନିଜର ଇନ୍ଦିରା ଆବସ ଗୃହକୁ କିପରି ସମାପ୍ତ କରିବେ ସେ ନେଇ ଚିନ୍ତିତ ହୋଇପଡିଥିଲେ। କୁଡିଆଟି ଭାଙ୍ଗିଯିବା ଫଳରେ ସେ ଗତ ୨୦୧୫-୧୬ ମସିହାରେ ସ୍ୱଚ୍ଛ ଭାରତ ଅଭିଯାନରେ ମିଳିଥିବା ପାଇଖାନାରେ ଜୀବନ କାଟୁଥିବା କହିଛନ୍ତି। ପାଇଖାନା ଭିତରେ ବସିବା ପାଇଁ ଜାଗା ନଥିବା ବେଳେ ସେ ନିଜର ଆସବାପତ୍ର ରଖିବା ସହ ରାତ୍ରୀଯାପନ କରୁଛନ୍ତି। ଇନ୍ଦିରା ଆବାସ ଗୃହ ନିର୍ମାଣ ଶେଷ କରିବା ପାଇଁ ଦୀର୍ଘ ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇସାରିଲେଣି। ତଥାପି କେହି ଗୁହାରି ଶୁଣୁନଥିବା ସେ କହିଥିଲେ।

ବ୍ଲକ ସଦର ମହକୁମା ଠାରୁ ମାତ୍ର ୫ ଶହ ମିଟର ଦୂରରେ ଯଦି ଇନ୍ଦିରା ଆବାସ ଯୋଜନାର ଅବସ୍ଥା ଯଦି ଏମିତି ତାହା ହେଲେ ଦୁର୍ଗମ ଅଞ୍ଚଳରେ ଏହି ଯୋଜନାର ସ୍ଥିତି କିଭଳି ଥିବ ସହଜରେ ଅନୁମେୟ। ତେବେ ଏନେଇ ସହକାରୀ ଯନ୍ତ୍ରୀ ଜାଣିବା ପରେ ଘଟଣାସ୍ଥଳକୁ ଯାଇ ଦେଖିଥିଲେ। ବିଡିଓ ଧରଣୀଧର ନାୟକଙ୍କୁ ପଚରାଯିବାରୁ ଏ ସଂପର୍କରେ ଜାଣିନଥିବା କହିବା ସହ ତଦନ୍ତ କରିବେ ବୋଲି କହିଥିଲେ। ସେହିପରି ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ଏନେଇ ଅବଗତ କରାଯିବା ପରେ ସେ ଏହାକୁ ତଦନ୍ତ କରିବେ ବୋଲି କହିଥିଲେ। ତେବେ ଘାସିରାମଙ୍କୁ ଆଉ କେତେଦିନ ପାଇଖାନାରେ ମୁଣ୍ଡ ଗୁଞ୍ଜିବାକୁ ପଡ଼ିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର