ଆହତ କ୍ୟାଡର ନକ୍ସଲଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ଶବ ପୁଲିସ ପହଞ୍ଚିବା ପୂର୍ବରୁ ପରିବାର ଲୋକ ଶେଷକୃତ୍ୟ କରି ଦେଇଛନ୍ତି। ସୂଚନା ଅନୁଯାୟୀ, ଦୁଇ ତିନି ଦିନ ତଳେ ସୁକମାର କିଷ୍ଟରାମ ଥାନା ଅନ୍ତର୍ଗତ ତୁମରିପାଡ ଏବଂ ଗଟ୍ଟାପାଡ ମଧ୍ୟରେ ରହିଥିବା ଜଂଗଲରେ ସୁରକ୍ଷା କର୍ମୀଙ୍କ ସହ ନକ୍ସଲଙ୍କ ମୁହାଁମୁହିଁ ହୋଇଥିଲା। ଗୁଳି ବିନିମୟରେ ନକ୍ସଲ ସଂଗଠନର ଜଣେ କ୍ୟାଡର ନକ୍ସଲ ଆହତ ହୋଇଥିଲା। ତେବେ ସାଥି ନକ୍ସଲ ଆହତଙ୍କୁ କୌଶଳ କରି ଜଙ୍ଗଲ ବାହାରକୁ ନେଇ ଯାଇଥିଲେ। ଗୁଳି ବେକରେ ବାଜି ଥିବାରୁ ପରବର୍ତୀ ସମୟରେ ଅସ୍ତ୍ରୋପଚାର କରାଯାଇଥିଲା। ତଥାପି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ଶବକୁ ଏକ ଟ୍ରାକ୍ଟର ଯୋଗେ ନକ୍ସଲ ରାମପୁରମ ଗ୍ରାମରେ ପହଞ୍ଚି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଖବର ପାଇ ଗ୍ରାମରେ ପୁଲିସ ପହଞ୍ଚିବା ପୂର୍ବରୁ ପରିବାର ସଦସ୍ୟ ଶେଷକୃତ୍ୟ ସଂପନ୍ନ କରି ଦେଇଥିଲେ। ସୁକମା ଏସପି ଅଭିଷେକ ମୀନାଙ୍କ କହିବା ଅନୁଯାୟୀ ଗୋଲାପାଲ୍ଲୀ ଥାନା ଅନ୍ତର୍ଗତ ରାମପୁରମ ଗ୍ରାମର ମୁଚାକି ହିଡମାକୁ ପୁଲିସ ଗୁଳି ଲାଗିଥିବାରୁ ତାର ମୃତ୍ୟୁ ହୋଇଥିଲା। ସେ ୨୦୧୨ ମସିହାରୁ ନକ୍ସଲ ସଂଗଠନରେ ଜଡିତ ହୋଇ କାମ କରୁଥିଲା। ଦୁଇ ଦିନ ତଳେ ପୁଲିସ ସହ ଗୁଳି ବିନିମୟରେ ସେ ଆହତ ହୋଇଥିଲା। ଗତକାଲି ରାତିରେ ତାର ମୃତ୍ୟୁ ହୋଇଯାଇଛି। ମାସା ନାମକ ଜଣେ ନକ୍ସଲ ତାର ଶବକୁ ନେଇ ଗ୍ରାମରେ ପହଞ୍ଚି ପରିବାରକୁ ହସ୍ତାନ୍ତର କରିଥିଲା। ସେ ପରିବାର ଲୋକଙ୍କୁ ତୁରନ୍ତ ଶବ ସତ୍କାର କରିବା ପାଇଁ ବାଧ୍ୟ କରିଥିଲା। ଶବସତ୍କାର ଚାଲିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫଟୋ ଉଠାଇଥିଲା। ଏସପିଙ୍କ କହିବା ଅନୁଯାୟୀ ନକ୍ସଲ ସଂଗଠନକୁ ଏହା ଏକ ବଡ ଝଟକା। ଏହି ଗୁଳି ବିନିମୟରେ ବହୁ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା କରିବା ପାଇଁ ନକ୍ସଲ ବିଭିନ୍ନ ସ୍ଥାନ ଘୂରି ବୁଲୁଛନ୍ତି। ପୁଲିସ ତରଫରୁ ଏମାନଙ୍କୁ ଖୋଜିବା ଆରମ୍ଭ ହୋଇଛି। ଖୁବଶୀଘ୍ର ନକ୍ସଲଙ୍କୁ କାବୁ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର