ମାଲକାନଗିରି: ମାଥିଲି ଥାନା ଅନ୍ତର୍ଗତ ମାଢିଗୁଡ଼ାରେ ବେଆଇନ ବାଲି ଘାଟରେ ବାଲି ମାଫିଆଙ୍କ ଦ୍ୱାରା ଦୁଇଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ମାଥିଲି ଥାନାରେ ଅଭିଯୋଗ ହୋଇଛି। ଶିବ ପ୍ରସାଦ ପରିଚ୍ଛା ଏବଂ ବିଷ୍ଣୁପ୍ରସାଦ ବାକା ନାମକ ସାମ୍ବାଦିକ ଦ୍ବୟଙ୍କୁ ବାଲି ମାଫିଆମାନେ ମରଣାସ୍ତ୍ର ଧରି ଗୋଡାଇଥିବା ମାଥିଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ବେଆଇନ ବାଲିଘାଟ କରି ବେଧଡକ ଚୋରାଚାଲାଣ ଖବର ପାଇଁ ୨ ସାମ୍ବାଦିକ ଖବର ସଂଗ୍ରହ ସହ ଭିଡିଓ ଉତ୍ତୋଳନ ପାଇଁ ଯାଇଥିଲେ। ଏତିକିବେଳେ କିଛି ଯୁବକ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଉଭୟଙ୍କୁ ସେଠାରୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲେ। ପ୍ରାଣବିକଳରେ ମାଢିଗୁଡା ଗାଁର ଏକ ଘରେ ଛପି ରହି ପୁଲିସକୁ ଖବର ଦେଇଥିଲେ ୨ ସାମ୍ବାଦିକ। ସଙ୍ଗେ ସଙ୍ଗେ ମାଥିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମାଥିଲି ଥାନାକୁ ଆଣିଥିଲା।
ତେବେ ସାଧାରଣ ଭାବେ ଦିନ ଦି ପହରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସୁରକ୍ଷା ବ୍ୟବସ୍ଥା ଉପରେ ସାମ୍ବାଦିକମାନେ ପ୍ରଶ୍ନ ଉଠାଇଛନ୍ତି। ମାଲକାନଗିରି ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର, ସଦସ୍ୟ ମାଣିକ ବାଛାଡଙ୍କ ସମେତ ମାଥିଲି ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ବସନ୍ତ ସଗରିଆ, ଶରତ ଚନ୍ଦ୍ର ମହାରଣା, ରାଜୀବ ବେହେରା, ଲଳିତ କୁମାର ବେହେରା, ସୁବାସ ଖୁଡୁପିଆଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ରହି ଏହି ଘଟଣାକୁ ନିନ୍ଦା କରି ମାଲକାନଗିରି ଜିଲା ଆରକ୍ଷି ଅଧିକ୍ଷକଙ୍କୁ ମାଥିଲି ଥାନା ଆଇଆଇସିଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ।
ଏପଟେ ମାଥିଲିର ୩ ଜଣ ସାମ୍ବାଦିକଙ୍କ ନାଁରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ମାଥିଲି ଅଂଚଳର ଜେସିବି ମାଲିକ ରାମ ଅନୁଗୁଳିଆ। ବଟି ମାଗିଥିବାରୁ ନ ଦେବାରୁ ଖବର ପ୍ରସାରଣର ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଆବାସ ଘର ପାଇଁ ନିକଟସ୍ଥ ନଦୀରୁ ବାଲି ଉତ୍ତୋଳନ କରି ନେଉଥିବା ସେ ସ୍ବୀକାର କରିଛନ୍ତି। ତେବେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା ସେ ଜାଣିନଥିବା କହିଛନ୍ତି। ଏପଟେ ମାଥିଲି ଅଂଚଳରେ ବାଲିଘାଟରୁ ବେଆଇନ ଭାବେ ବାଲିଘାଟ କରି ମାଫିଆ ମାଲେମାଲ ହେଉଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ସଲାସୁତରା ହୋଇ ଏପରି ଦଲାଲମାନଙ୍କୁ ପ୍ରସୟ ଦେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
Malkangiri