କାଲିମେଳା ଡବଲ ମର୍ଡର ଘଟଣା : ଦରପୋଡ଼ା କଟାମୁଣ୍ଡ ଉଦ୍ଧାର, ୨ଗିରଫ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଙ୍କଟପଲମ ଡବଲ ମର୍ଡର ଘଟଣାର ପର୍ଦାଫାସ କରିଛି ପୁଲିସ। ଗୁଣି ଗାରେଡିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କାଲିମେଳା ପୁଲିସ କହିଛି। ଏହି ଜଘନ୍ୟ ହତ୍ୟାକାଣ୍ଡର ୪ଦିନ ପରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେହିପରି ଦରପୋଡା କଟା ମୁଣ୍ଡକୁ ପୁଲିସ ଗାଁ ନିକଟସ୍ଥ ଜଙ୍ଗଲରୁ ଜବତ କରିଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଭେଙ୍କଟପଲମ ଗ୍ରାମର ଚନ୍ଦ୍ର ମାଝୀଙ୍କ ପୁଅ ରତ୍ନାୟା ମାଝୀ(୨୫) ଓ ଘନ ପାଣ୍ଡରାଙ୍କ ପୁଅ ଦୁରୁଜ ପାଣ୍ଡରା(୨୬)ଙ୍କୁ ପୁଲିସ ଆଜି ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ଭେଙ୍କଟପଲମ ଗ୍ରାମର ଏଙ୍କଟ ରାଓ ଓ କୁରାମ ଲାଛାମାୟାଙ୍କୁ ସେହି ଗ୍ରାମର ରତ୍ନାୟା ଏବଂ ଦୁରୁଜ ଗତ ୧୬ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଏଙ୍କଟଙ୍କ ମୁଣ୍ଡକୁ ସଂପୂର୍ଣ୍ଣ ଭାବେ କାଟି ନେଇ ଗାଁ ମୁଣ୍ଡରେ ପହଞ୍ଚିଥିଲେ। କଟା ମୁଣ୍ଡଟିକୁ ପୋଡି ଦେବା ସହ ଗାଁ ମୁଣ୍ଡ ଜଙ୍ଗଲରେ ଏକ ଗାତ ଖୋଳି ପୋତି ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ କରିବା ସହ ଆଜି ଅଭିଯୁକ୍ତ ରତ୍ନାୟା ଓ ଦୁରୁଜଙ୍କୁ ଗିରଫ କରିଛି। ଗୁଣି ଗାରେଡିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ତଦନ୍ତକାରୀ ଅଧିକାରୀ ରାମ ପ୍ରସାଦ ନାଗ ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା ଦରପୋଡା ମୁଣ୍ଡକୁ ବ୍ରହ୍ମପୁର ଫରେନସିକ ଲ୍ୟାବ୍‌କୁ ପଠାଯିବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ରତ୍ନାୟାର ବଡ଼ଭାଇର କିଛି ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ପତ୍ନୀର ଗର୍ଭସ୍ତ ସନ୍ତାନର ମୃତ୍ୟୁ ଘଟିଥିଲା। ଏଙ୍କଟ ଗୁଣି କରି ମାରିଥିବା ସନ୍ଦେହ କରି ତାକୁ ହତ୍ୟା କରାଯାଇଥିବା ଜଣାପଡିଛି।

ପ୍ରକାଶ ଥାଉକି, ଗତ ୧୬ତାରିଖ ଅପରାହ୍ନ ପ୍ରାୟ ୩ଟାରେ ଏକ ମୋପେଡ ଯୋଗେ ଏଙ୍କଟ ରାଓ ଓ ଲଛମାୟା କୁରାମ କୁକୁଡା ଗାଲିକୁ ଯାଇଥିଲେ। ତେବେ ରାତିରେ ଘରକୁ ଫେରିନଥିଲେ। ଗତ ୧୭ତାରିଖ ମଧ୍ୟାହ୍ନରେ ଉଭୟଙ୍କ ଶବ ଗାଁ ନିକଟସ୍ଥ ଏକ ବୁଦା ମୂଳରେ ପଡି ରହିଥିବା ଦେଖିବାକୁ ମିଳିଥିଲା। ୨ଜଣଙ୍କୁ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏଙ୍କଟ ରାଓଙ୍କ ମୁଣ୍ଡକୁ କାଟି ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର