ବାଲିମେଳା ଜଳଭଣ୍ଡାର ଗେଟ୍‌ ଖୋଲିଲା:ଗୁରୁପ୍ରିୟା ସେତୁକୁ ବିପଦ!

ମାଲକାନଗିରି: ତରବରିଆ ଭାବେ ନିଷ୍ପତ୍ତି ନିଆଯାଇ ଆଜି ସକାଳେ ବାଲିମେଳା ଜଳ ଭଣ୍ଡାରର ୨ଟି ଗେଟ୍‌ ଖୋଲା ଯାଇଛି। ସକାଳ ୧୦ଟାରେ ୪ ଓ ୭ନମ୍ବର ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨୦ହଜାର କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି। ଜିଲ୍ଲାପାଳ ମନିଷ ଅଗ୍ରୱାଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ବିଜୟ କୁମାର କାଲତା, ବିଡିପି ପ୍ରକଳ୍ପ ଯନ୍ତ୍ରୀଙ୍କ ସମେତ ଆନ୍ଧ୍ର ପ୍ରଦେଶର ବହୁ ଅଧିକାରୀଙ୍କ ଉପସ୍ଥିତିରେ ଗେଟ୍‌ ଗୁଡ଼ିକ ଖୋଲା ଯାଇଛି। ଗେଟ୍‌ ଖୋଲିବା ପରେ କୌଣସି ପ୍ରକାର ବିପଦ ନଥିବା ଏବଂ ଲୋକେ ବ୍ୟସ୍ତ ହେବାର ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ମତ୍ସ୍ୟଜୀବୀ ନଦୀ ଗର୍ଭକୁ ନଯିବା ପାଇଁ ବାରଣ କରାଯାଇଛି। ଏଥିସହ ଦୋରାଗୁଡା, ଗୁଣ୍ଠାୱାଡା ଏବଂ ନୂଆଗୁଡା ପଞ୍ଚାୟତର ବହୁ ନଦୀ କୂଳରେ ରହିଥିବାରୁ ଗ୍ରାମବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ଆଜି ଡାକବାଜି ଯନ୍ତ୍ରରେ ପ୍ରତି ଗ୍ରାମରେ ସତର୍କ ସୂଚନା ପ୍ରଦାନ କରାଯାଇଥିବା କୁହାଯାଇଛି।
କିନ୍ତୁ ଏଭଳି ଗେଟ୍‌ ଖୋଲି ଜଳ ନିଷ୍କାସନ କରିବା ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଏହି ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୧୫୧୬ଫୁଟ। ଏହା ଉପରକୁ ଜଳସ୍ତର ବଢ଼ିଲେ ଗେଟ୍‌ ଖୋଲାଯାଇଥାଏ। ପୂର୍ବରୁ ୧୫୧୬ଫୁଟରୁ ଅଧିକ ଜଳସ୍ତର ରହିଲେ ହିଁ ଗେଟ୍‌ ଖୋଲାଯିବାର ନଜିର ରହିଛି। ଯେମିତି ୧୯୯୦ ମସିହାରେ ୧୫୧୭ ଫୁଟ, ୧୯୯୪ ମସିହାରେ ୧୫୧୭ ଫୁଟ, ୨୦୦୬ରେ ୧୫୧୭ ଫୁଟ, ୨୦୧୩ରେ ୧୫୧୮ ଫୁଟ ଜଳସ୍ତର ରହିବାରୁ ଗେଟ ଖୋଲାଯାଇଥିଲା। ଅପରପକ୍ଷରେ ୨୦୧୪ ମସିହାରେ ୧୫୧୬ ଫୁଟ ପାଣି ରହିଥିଲେ ମଧ୍ୟ ଗେଟ ଖୋଲାଯାଇନଥିଲା। ଏଭଳି ସ୍ଥଳରେ ଚଳିତ ବର୍ଷ କାହିଁକି ଗେଟ୍‌ ଖୋଲାଗଲା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ଶୁଣିବାକୁ ମିଳୁଛି ଯେ ବର୍ତମାନ ଜଳଭଣ୍ଡାରରେ ବିପଦ ସଂକେତ ପାଣି ରହିଛି। ହେଲେ ଗୁରୁପ୍ରିୟା ସେତୁର ବେରିଂ ନିକଟ ହୋଇଗଲାଣି ପାଣି। ବେରିଂ ଠାରୁ ମାତ୍ର ୨ରୁ ୩ଫୁଟ ତଳେ ପାଣି ବର୍ତମାନ ରହିଛି। ଯାହାକି ଏହି ଐତିହାସିକ ସେତୁ ପାଇଁ ବିପଦ ହେବ। ଆଗକୁ ଯଦି ପୁଣି ବର୍ଷା ହୁଏ ତାହାଲେ ସେତୁର ବେରିଂ ବି ବୁଡ଼ିଯିବାର ସମ୍ଭାବନା ରହିଛି। ତେଣୁ ବେରିଂ ବୁଡ଼ିଗଲେ ସେତୁକୁ କ୍ଷତିଗ୍ରସ୍ତ କରିବ ବୋଲି ଅନୁମାନ କରି ପୂର୍ବରୁ ହିଁ ଜଳ ନିଷ୍କାସନ କରି ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଏହା ଏକ ଉଦ୍ୟମ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଯଦିଓ ଏଭଳି ସମ୍ଭାବନାକୁ ପ୍ରଶାସନ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ କାଲତା ଅସ୍ୱୀକାର କରୁଛନ୍ତି। ତଥାପି ଗୁରୁପ୍ରିୟା ସେତୁର ଏତେ ନିକଟକୁ ପାଣି ଚାଲି ଆସିବା ପରେ ବିପଦକୁ ଆଦୌ ଅସ୍ୱୀକାର କରାଯାଇ ନପାରେ। ସେହିପରି ଜଳ ନିଷ୍କାସନ ପାଇଁ ଆନ୍ଧ୍ର ସରକାରଙ୍କ ସହ ଓଡ଼ିଶା ସରକାର ତୁକ୍ତି ସ୍ୱାକ୍ଷର କରିଛନ୍ତି। ଆନ୍ଧ୍ର ନିଜ କୋଟାର ଅଧିକାଂଶ ପାଣି ପୂର୍ବରୁ ହିଁ ନେଇ ସାରିଛି। ଏବେ ପୁଣି ଜଳ ନିଷ୍କାସନ ଦ୍ୱାରା ଆନ୍ଧ୍ର ସରକାର ତାହାର ଫାଇଦା ନେବେ। ଯଦି ଗୁରୁପ୍ରିୟା ସେତୁର ଡିଜାଇନିଂ ଏବଂ ଆନ୍ଧ୍ରକୁ ଏମିତି ଅନାବଶ୍ୟକ ଭାବେ ଜଳ ଦେବାର ତଦନ୍ତ କରାଯିବା ତାହାହେଲେ ଚକିତ କଲା ଭଳି ତଥ୍ୟା ପଦାକୁ ନିଶ୍ଚିତ ଆସିବ।
ଗୁରୁପ୍ରିୟା ସେତୁ ନିର୍ମାଣ ସମୟରେ ଦୁଇ ପାର୍ଶ୍ୱରେ ଶହ ଶହ ଟନ୍‌ ମାଟି ପକାଇ କାମ କରାଯାଇଥିଲା। କିନ୍ତୁ ଉଦ୍‌ଘାଟନର ମାସକ ପରେ ବି ତାହାକୁ ଏପର୍ଯ୍ୟନ୍ତ ଠିକା କଂପାନି କିମ୍ବା ପ୍ରଶାସନ ଉଠାଇ ନାହାନ୍ତି। ଯାହାଫଳରେ ବର୍ତମାନ ସେତୁର ଅତି ନିକଟତର ହେଲାଣି ବାଲିମେଳା ଜଳଭଣ୍ଡାର ପାଣି। ଯଦି ସମୟ ଥାଉଣୁ ମାଟିକୁ ବାହାର ନକଲେ ସେତୁକୁ ନଷ୍ଟ କରିବା ନିଶ୍ଚିତ। ଦୀର୍ଘ ଦିନର ଅପେକ୍ଷା ପରେ ବିଚ୍ଛିନ୍ନାଞ୍ଚଳବାସୀ ସେତୁକୁ ଦେଖି ଯେତିକି ଖୁସି ହୋଇଥିଲେ ଏବେ ସେତୁ ଉପରକୁ ପାଣି ମାଡି ଆସୁଥିବା ବଡ଼ ବିପଦକୁ ନେଇ ସେତିକି ଦୁଃଖ ପ୍ରକାଶ କରିଛନ୍ତି। ସରକାର ଏବଂ ଜଳ ସଂପଦ ବିଭାଗ ସେତୁର ବିପଦକୁ ଦେଖି ଗେଟ ଖୋଲିବା ପାଇଁ ନିର୍ଦେଶ ଦେଇଥିବା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର