କଟନପାଲୀ ହତ୍ୟା ଘଟଣାରେ ୧୦ ଗିରଫ

କାଲିମେଳା: ଏମଭି-୭୯ ଥାନା ଅନ୍ତର୍ଗତ ତାଠବାଇ ପଞ୍ଚାୟତର କଟନପାଲୀ ଗ୍ରାମରେ ଘଟିଥିବା ହତ୍ୟା ଘଟଣାରେ ପୁଲିସ ଆଜି ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ଆସି ମୁତା, ସୁନାମ ଦେଶା, ପୁନେମ ସିଂଗା, କାଟାମ ଜଗା, କାଟାମ ଏଙ୍କା, କାଟାମ ମାଲା, ସୁନାମ ଏରବାନ, ଆସି କାନା, ମାଡ଼କାମୀ ଜଗା, ମାଡ଼କାମୀ ମୁତା। ସୂଚନା ଯୋଗ୍ୟ ଯେ ଏହି ଘଟଣା ସଂପର୍କରେ ଗତ ୬ ତାରିଖରେ ଏମଭି-୭୯ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା। ଗୁଣି ଗାରେଡ଼ି ସନ୍ଦେହରେ ସେହି ଗ୍ରାମର କାଟାମ ରାମାକୁ ଅଭିଯୁକ୍ତମାନେ ହତ୍ୟା କରି ଜଙ୍ଗଲରେ ପୋଡ଼ି ଦେଇଥିଲେ। କାଟାମ ରାମା ଗ୍ରାମରେ ଅନେକ ଦିନ ଧରି ଝଡ଼ାଫୁଙ୍କା କରିବା ସହିତ ଗୁଣି ଗାରେଡ଼ି କରି ଆସୁଥିଲା। ତେଣୁ ଗ୍ରାମର ଅନେକ ଲୋକଙ୍କର ମୃତ୍ୟୁ ହୋଇଯାଉଛି ବୋଲି ଗ୍ରାମବାସୀଙ୍କ ମନରେ ଏକ ପ୍ରକାର ଅନ୍ଧବିଶ୍ୱାସ ରହିଥିଲା। ଗୁଣି ଗାରେଡ଼ି ନ କରିବାକୁ ଗ୍ରାମବାସୀମାନେ ରାମାକୁ ବାରମ୍ୱାର ମନା କରି ଆସୁଥିଲେ। ତଥାପି ରାମା ନିଜ କାମ କରିଆସୁଥିଲା। ତେଣୁ ତାକୁ ରାସ୍ତାରୁ ହଟାଇବାକୁ ଅଭିଯୁକ୍ତମାନେ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ରାମା ଜଙ୍ଗଲକୁ ଯାଇଥିବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଅଭିଯୁକ୍ତମାନେ ତାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଶବକୁ ସେହି ଠାରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ତେବେ ରାମା ଘରକୁ ନ ଫେରିବାରୁ ପରିବାର ଲୋକ ତାକୁ ବହୁତ ଖୋଜାଖୋଜି କରିଥିଲେ। ଏହାପରେ ସେମାନେ ଖବର ପାଇଥିଲେ ଯେ ରାମାକୁ ହତ୍ୟା କରାଯାଇ ଜଙ୍ଗଲରେ ପୋଡ଼ି ଦିଆଯାଇଛି। ରାମାର ପରିବାର ଲୋକେ ଏମଭି-୭୯ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ମମତା ପାଣିଗ୍ରାହୀ ଓ ସେକେଣ୍ଡ ଅଫିସର ହରିଶ୍ଚନ୍ଦ୍ର ଗୋଲରୀ ଘଟଣାରେ ଛାନଭିନ କରି ୧୦ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର