ମାଥି‌ଲିରେ ଲାଲ ଆତଙ୍କ:ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିମର୍ମ ହତ୍ୟା

ମାଥିଲି: ଦୀର୍ଘ ଦିନର ନିରବତା ପରେ ମାଓବାଦୀ ଗତକାଲି ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଲାଲ ଆତଙ୍କ ସୃଷ୍ଟି କରିଛନ୍ତି । ମାଓବାଦୀଙ୍କ ଏଭଳି ବିଭତ୍ସ କାଣ୍ଡକୁ ଦେଖି ସମଗ୍ର ମାଥିଲି ଅଂଚଳର ଆତଙ୍କ ଖେଳିଯାଇଛି । ପୁଲିସ ଇନଫର୍ମର ସନ୍ଦେହରେ ଅନନ୍ତରାମ ଭୂମିଆ ନାମକ ଜଣେ ଯୁବକଙ୍କୁ ଟାଙ୍ଗିଆରେ ମୁଣ୍ଡକୁ ହାଣିବା ସହ ଏକ ଧାରୁୁଆ ଅସ୍ତ୍ରରେ ଛାତିକୁ ଭୁଷିଦେବା ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି ।
ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ସାଲିମି ପଂଚାୟତ ଅନ୍ତର୍ଗତ ବାରୁବେଡ଼ା ଗ୍ରାମରେ । ଗ୍ରାମ ନିକଟରେ ଏକ ନାଟ ଦେଖିବାକୁ ଜଣେ ସାଂଗ ଡାକିନେବା ପରେ ନାଟ ଚାଲିଥିବା ସ୍ଥଳରେ ମାଓବାଦୀ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି । ଅନନ୍ତଙ୍କ ମୃତ୍ୟକୁ ନେଇ ଗ୍ରାମରେ ଆତଙ୍କର ବାତାବରଣ ଦେଖାଦେଇଥିବା ବେଳେ ତାଙ୍କ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

ମାଓବାଦୀ ଅନନ୍ତଙ୍କୁ ନିଜ ମା’ଙ୍କ ସମ୍ମୁଖରେ ଏଭଳି ହତ୍ୟା କରିଥିବା ବେଳେ ଜୀବନ ଭୟରେ କେହି ବି ପ୍ରତିବାଦ କରିବାକୁ ସାହାସ ଜୁଟାଇ ପାରିନଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ଅନନ୍ତ ମଙ୍ଗଳବାର ରାତିରେ ଘରେ ଥିଲେ । ରାତିରେ ବାରା ଗ୍ରାମର ଜଣେ ଯୁବକଙ୍କ ସମେତ ଅନ୍ୟ ଜଣେ ଅଚିହ୍ନା ଯୁବକ ଅନନ୍ତଙ୍କୁ ନିକଟସ୍ଥ ଧାକଡରାଶି ଗାଁରେ ହେଉଥିବା ନାଟ ଦେଖିବାକୁ ଡାକିଥିଲେ । ସାଙ୍ଗ କଥାକୁ ଏଡାଇ ନପାରି ଘରେ ପତ୍ନୀଙ୍କୁ କହି ଅନନ୍ତ ନାଟ ଦେଖିବାକୁ ବାହାରିଥିଲେ । ଅନନ୍ତଙ୍କ ବାପା ଭାଗିରଥି ଭୂମିଆ ସେହି ସମୟରେ ଘରେ ରହିଥିଲେ । ପୁଅ ନାଟ ଦେଖି ଯିବା ପୂର୍ବରୁ ତାଙ୍କ ମା ଦମୟନ୍ତୀ ଭୂମିଆ ବି ନାଟ ଦେଖିବାକୁ ଯାଇଥିଲେ । ମଧ୍ୟ ରାତ୍ରିରେ ହଠାତ୍ ସଶସ୍ତ୍ର ମାଓବାଦୀ ସଂଗଠିତ ଭାବେ ଆସି ଅନନ୍ତଙ୍କୁ ନିସ୍ତୁକ ମାଡ ମାରିଥିଲେ। ଭୟରେ କେହି ପ୍ରତିବାଦ କରିପାରିନଥିବା ବେଳେ ଅନନ୍ତଙ୍କ ମା ବି ସାହାସ ଜୁଟାଇ ପାରିନଥିଲେ। ମାଓବାଦୀ ପ୍ରଥମେ ମୁଣ୍ଡକୁ ଟାଙ୍ଗିଆରେ ହାଣିବା ପରେ ଏକ ଧାରୁଆ ଅସ୍ତ୍ରରେ ଛାତିକୁ ଭୁଷି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ରକ୍ତାକ୍ତ ଏବଂ ଗୁରୁତର ଅବସ୍ଥାରେ ଅନନ୍ତଙ୍କୁ ଉଦ୍ଧାର କରି ମା ଦମୟନ୍ତୀ ଏକ ଅଟୋରେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିଲେ । ଅଧାବାଟ ତାଳପଦର ଗ୍ରାମ ନିକଟରେ ଅନନ୍ତଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଉପାୟ ନପାଇ ମୃତଦେହକୁ ଅଟୋରେ ଧରି ଘରକୁ ଫେରିଥିଲେ ମା ଦମୟନ୍ତୀ । ପୁଅ ସହ କାହାର ଶତ୍ରୁତା ନଥିବା କହିଛନ୍ତି ପରିବାର ବର୍ଗ । ରୋଜଗାରିଆ ପୁଅକୁ ହରାଇବା ସର୍ବହରା ହୋଇପଡିଥିବା ଅନନ୍ତଙ୍କ ବାପା ଭାଗିରଥି ଭୂମିଆ କହିଛନ୍ତି। ଅନନ୍ତଙ୍କ ହତ୍ୟା ପାଇଁ ସାଥିମାନେ ଦାୟୀ ବୋଲି ଗ୍ରାମବାସୀମାନେ କହିଛନ୍ତି । ତେବେ କିଛି ଦିନର ନିରବତା ପରେ ମାଓବାଦୀଙ୍କ ଏଭଳି ହତ୍ୟାକାଣ୍ଡ କୁ ନେଇ ଏବେ ବାରୁବେଡା ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ମାଥିଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ମାଥିଲି ଥାନା ଅଧିକାରୀ ଜନ୍ ଖୁଜୁର କହିଛନ୍ତି ।

ସମ୍ବନ୍ଧିତ ଖବର