ଏଲଇଡି ଲାଇଟ ଯୁଗରେ ଏବେ ବି ରହିଛି ଡିବିରିବତିର ଚାହିଦା

ମାଲକାନଗିରି: ଏକବିଂଶ ଶତାଦ୍ଦିରେ ପୃଥିବୀ ପାଦ ଥାପିଥିବା ବେଳେ ଯୁଗ ଏବେ କାହିଁ କେଉଁ ଆଡେ ପହଞ୍ଚି ସାରିଛି। ଡିଜିଟାଲ ଯୁଗ ସାଙ୍ଗକୁ ମୋବାଇଲ ଲୋକଙ୍କୁ ଆହୁରି ଆଗକୁ ନେଇଛି। ଗରିବ ଠାରୁ ଆରମ୍ଭ କରି ଧନୀ ଘରେ ଏବେ ବିଦ୍ୟୁତ ସେବା ରହିଛି। କେବଳ ଦୁର୍ଗମ କିଛି ଅଞ୍ଚଳକୁ ଛାଡି ଦେଲେ ସବୁ ଅଞ୍ଚଳରେ ବିଦ୍ୟୁତ ପହଞ୍ଚି ସାରିଛି। ବିଶେଷକରି ମାଲକାନଗିରି ଜିଲ୍ଲାରେ ଯଦି ଦେଖିବା ଗତ ୫ ବର୍ଷ ତଳେ ଜିଲ୍ଲାରେ ବିଦ୍ୟୁତ ସେବା ଅତି ନିମ୍ନମାନର ଥିଲା। କିନ୍ତୁ ଆଜି ସବୁ ବଦଳି ଯାଇଛି। ପ୍ରାୟତଃ ବିଦ୍ୟୁତ କାଟ ହେଉନଥିବା ବେଳେ ଲୋ ଭୋଲ୍‌ଟେଜ ଆଉ ଜିଲ୍ଲାରେ ନାହିଁ। ପ୍ରତ୍ୟେକ ଘରେ ନୂତନ ଧରଣର ଏଲଇଡି ଲାଇଟ ଲାଗିଥିବା ଦେଖିବାକୁ ମିଳୁଛି। କିନ୍ତୁ ଆଜି ଜିଲ୍ଲା ସଦର ମହକୁମାରେ ଏଲଇଡି ଯୁଗରେ ଡିବିରି ବତୀ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ବାହାରର ଜଣେ ବ୍ୟବସାୟୀ କିଛି ଡିବିରି ବତୀ ନେଇ ବଜାରରେ ଚାଲି ଚାଲି ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଡିବିରି ବତୀ ଗୁଡିକ ଅତି ଚମତ୍କାର ଥିଲା। ଆଜିର ଯୁଗରେ ପ୍ରାୟତଃ ଲୋକେ କିରୋସିନି ବ୍ୟବହାର କରୁନଥିବା ବେଳେ ଏହି ଡିବିରି ବତୀ କିରୋସିନି ଢାଳିଲେ ହିଁ ଜଳେ। ଅନ୍ୟଦିଗରେ କିରୋସିନି ଦାମ ଶତକରେ ପହଞ୍ଚିବାକୁ ଯାଉଥିବା ବେଳେ ଲୋକେ ଆଉ ଘରେ ଡିବିରି ବତୀ ରଖିବାକୁ ପସନ୍ଦ କରୁନଥିବା ଦେଖିବାକୁ ମିଳେ। କିନ୍ତୁ ଏହି ଡିବିରି ବତୀ ବିକୁଥିବା ଲୋକଙ୍କ ପାଖରେ ଭିଡ ଜମାଉଥିବା ଦେଖିବାକୁ ମିଳିଥିଲା।

କାରଣ ଏହି ଡିବିରି ବତୀ ଆଗାମୀ ପିଢିର ପିଲା ଆଉ ଦେଖିବାକୁ ପାଇବେ ନାହିଁ। ତେଣୁ ପ୍ରାୟତଃ ଲୋକେ ଡିବିରି ବତୀକୁ ଖରିଦ କରି ନେଉଥିବା ଲକ୍ଷ୍ୟ କରାଯାଇଥିଲା।ଏନେଇ ବରିଷ୍ଠ ସାହିତ୍ୟିକ ତଥା ସମାଜସେବୀ ରତ୍ନାକର ଦାସ କହନ୍ତି, ଡିବିରି ବତୀର ଚାହିଦା କମିଥିଲେ ମଧ୍ୟ ଆଜିର ଡିଜିଟାଲ ଯୁଗରେ ଏହାର ପତିଆରା ରହିଛି। ବିଦ୍ୟୁତ ଚାଲିଗଲେ ଏହି ଡିବିରି ବତୀ ହିଁ କାମରେ ଲାଗୁଛି।ତେଣୁ ଏହାକୁ ମୁଁ ଖରିଦ କରି ନେଉଥିବା କହିଥିଲେ। ତେବେ ଏବେ ବି ଜିଲ୍ଲାର ଶତାଧିକ ଗ୍ରାମ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ତେବେ ସେହି ଅଞ୍ଚଳରେ ଏହି ଡିବିରି ବତୀର ବେଶ ଚାହିଦା ରହିବ ବୋଲି କୁହାଯାଇଛି। କିନ୍ତୁ ଅତି ଗରିବ ଲୋକେ ଏହି ଡିବିରି ବତୀଟିଏ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଗୋଟିଏ ଡିବିରି ବତୀ ପ୍ରାୟ ଶହେ ଟଙ୍କା ପଡୁଥିବାରୁ ଲୋକେ ଏହାକୁ ଖରିଦ କରିବାକୁ ଚାହୁଁଥିଲେ ମଧ୍ୟ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଥିଲା। ତେବେ ଆଜିର ଏଲଇଡି ଯୁଗରେ ଡିବିରି ବତୀର ଚାହିଦାକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଲୋକେ ଏହାକୁ କିଣି ନେଉଥିବା ଦେଖି ଆହୁରି ଆଚମ୍ବିତ ହୋଇଥିଲୁ।

ସମ୍ବନ୍ଧିତ ଖବର