ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଗିରଫ

ଗୋବିନ୍ଦାପାଲ୍ଲୀ ଛାତ୍ରୀ ଅସଦାଚରଣ ଘଟଣା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଛାତ୍ରୀ ଅସଦାଚରଣ ଘଟଣା ନାଟକୀୟ ମୋଡ ନେଇଛି। ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଅଜୟ କୁମାର ସୂତାରଙ୍କୁ ଆଜି ପୁଲିସ ଗିରଫ କରିଛି। ଅଧ୍ୟାପକ ଜଣକ ଛାତ୍ରୀଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିବା ପ୍ରମାଣ ପାଇଥିବା ପୁଲିସ କହିଛି। ସେହିପରି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ମହେନ୍ଦ୍ର ପାଣିଗ୍ରାହୀ ଓ କୁଆଁ ଆଚାରୀକୁ ପୁଲିସ ୪ଦିନ ଧରି ଜେରା କରିବା ପରେ ଶେଷରେ ଆଜି ଛାଡି ଦେଇଛି। ଅପରପକ୍ଷରେ ଶିଶୁ ମଙ୍ଗଳ କମିଟିକୁ ପୀଡିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଅଧ୍ୟାପକ ଅଜୟ କୁମାର ସୂତାର ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଅନ୍ୟ ୩ଜଣ ଅଭିଯୁକ୍ତ ୨ଥର ସ୍କୁଲ ପରିସରରେ ଗଣ ଦୁଷ୍କର୍ମ କରିଥିବା ଭଳି ସଂଗିନ ଅଭିଯୋଗ ଆଣିଛନ୍ତି।

ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସଂଯୁକ୍ତ ପ୍ରଧାନ ଘଟଣା ସଂପର୍କରେ କହିଛନ୍ତି ଯେ ପୀଡିତାଙ୍କ ବୟାନକୁ ଲିପିବଦ୍ଧ କରାଯାଇଛି। ଗୋବିନ୍ଦପାଲ୍ଲୀ ଏସ୍‌ଏସଡି କଲେଜର ଓଡ଼ିଆ ଅଧ୍ୟାପକ ଅଜୟ କୁମାର ସୂତାର ଭୟଭୀତ କରି ପୀଡିତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ। ଯେଉଁ ୩ଜଣ ଅଭିଯୁକ୍ତଙ୍କ କଥା ପୀଡିତା କହୁଛନ୍ତି ସେମାନେ ମଧ୍ୟ ୨ଥର ଗଣଦୁଷ୍କର୍ମ କରିଛନ୍ତି। ଏନେଇ ନିଜେ ପୀଡିତା ଶିଶୁ ସୁରକ୍ଷା କମିଟି ଓ ପୁଲିସ ସମ୍ମୁଖରେ ବୟାନ ଦେଇଛନ୍ତି। ପୀଡିତା ଜଣକ ନାବାଳିକା। ମାମୁ ଘରେ ରହି ପାଠ ପଢୁଥିବାରୁ ଲୋକଲଜ୍ଜ୍ୟା ଭୟରେ ପ୍ରଥମେ କାହାକୁ କିଛି କହୁ ନଥିଲେ। କିନ୍ତୁ ଅତ୍ୟାଚାର ବଢିବାରୁ ଶେଷରେ ବାଧ୍ୟ ହୋଇ ମୁହଁ ଖୋଲିଛନ୍ତି।

ପାଠ ପଢାଇବା ଆଳରେ ଅଧ୍ୟାପକ ଅଜୟ ସୂତାର ତାଙ୍କ ଘରକୁ ଡାକି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ସମୟରେ ଭିଡଓକୁ ଗୋଟିଏ ମୋବାଇଲ ଫୋନରେ ରେକର୍ଡ କରିଥିଲେ। ଏହି ଭିଡିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏନେଇ ମହେନ୍ଦ୍ର ପାଣିଗ୍ରାହୀ, କୁଆଁ ଆଚାରୀ ଏବଂ ଅନ୍ୟ ଜଣେ ଯୁବକ ଜାଣିବା ପରେ ୭ତାରିଖ ପୂର୍ବରୁ ସ୍କୁଲ ପରିସରରେ ଗଣ ଦୁଷ୍କର୍ମ କରିଥିଲେ। ଏହାପରେ ୭ତାରିଖ ଦିନ ପୁଣି ସ୍କୁଲ ପରିସର ରୋଷେଇ ଘରେ ଅଧ୍ୟାପକ ଅଜୟ କୁମାର ସୂତାରଙ୍କ ସହ ଉପରୋକ୍ତ ୩ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିଲେ। ବର୍ତମାନ ପୀଡିତା ଶିଶୁ ସୁରକ୍ଷା କମିଟି ହେପାଜତରେ ରହିଛନ୍ତି। ସମସ୍ତ ରିପୋର୍ଟ ପୁଲିସକୁ ହସ୍ତାନ୍ତର କରି କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ତାଙ୍କୁ ଯେମିତି ନ୍ୟାୟ ମିଳିବ ସେଥିପାଇଁ ପଦକ୍ଷେପ ନିଆଯାଉଥିବା ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ କହିଛନ୍ତି।

ପୀଡିତା ଅଭିଯୋଗ କରିବାର ପ୍ରାୟ ୧୦ଦିନ ପରେ ପୁଲିସ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲା। ଅଧ୍ୟାପକ ଅଜୟ କୁମାର ସୂତାର ହିଁ ଘଟଣାର ମୁଖ୍ୟ ସୂତ୍ରଧର। ସେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ପୁଲିସ ପର୍ଯ୍ୟାପ୍ତ ପ୍ରମାଣ ପାଇଛି। ତେଣୁ ଆଜି ଅଧ୍ୟାପକଙ୍କୁ ଗିରଫ କରାଯାଇ ଡାକ୍ତରୀ ମାଇନା କରାଯାଇଥିବା ଡିଏସପି ମାସନ ରଂଜନ ବାରିକ ପ୍ରକାଶ କରିଛନ୍ତି। ସେହିପରି ୪ଦିନ ହେଲା ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଦୁଇ ଅଭିଯୁକ୍ତ ମହେନ୍ଦ୍ର ପାଣିଗ୍ରାହୀ ଏବଂ କୁଅାଁ ଆଚାରୀକୁ ଛାଡି ଦେଇଥିବା ସେ କହିଛନ୍ତି। ଦୁହିଁଙ୍କ ବିରୋଧରେ ପୁଲିସକୁ କୌଣସି ପ୍ରମାଣ ମିଳିନାହିଁ। ତେଣୁ ବର୍ତମାନ ସେମାନଙ୍କୁ ଛଡା ଯାଇଛି। କିନ୍ତୁ ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ଯାହା ବି ସଂପୃକ୍ତି ଥିବା ପ୍ରମାଣ ମିଳିବ ପୁଲିସ ଗିରଫ କରିବ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି। ଏହି ଦୁଇ ଅଭିଯୁକ୍ତଙ୍କୁ ଛଡ଼ାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସିଡବ୍ଲୁସି ଅଧ୍ୟକ୍ଷା। ସେ କହିଛନ୍ତି ପୀଡିତାଙ୍କ ସହ ୪ଜଣ ଦୁଷ୍କର୍ମ କରିଛନ୍ତି। ପୁଲିସ ଉପସ୍ଥିତିରେ ପୀଡିତା ଏହି କଥା କହିଛନ୍ତି।

ସେହିପରି ସଂପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଜଣେ ନାବାଳିକା ଛାତ୍ରୀର ଚରିତ୍ର ସଂହାର କଲା ଭଳି ପ୍ରତିକ୍ରିୟା ରଖୁଛନ୍ତି। ଏହି ମାମଲାରେ ସେହି ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଗିରଫ କରାଯିବା କଥା ବୋଲି ସିଡବ୍ଲୁସି ଅଧ୍ୟକ୍ଷା କହିଛନ୍ତି। ଶିକ୍ଷା ଅନୁଷ୍ଠାନ ପରିସରରେ ଦୀର୍ଘ ଦିନ ହେଲା ଏଭଳି କେଳେଙ୍କାରୀ ଚାଲିଥିବା ସ୍ପଷ୍ଟ ହେଉଥିବାରୁ ସେଠାରେ ଅନ୍ୟ ପିଲାଙ୍କ ସୁରକ୍ଷା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର