ମଦ ଜବତ, ଜଣେ ଗିରଫ

ବାଲିମେଳା : ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରେ ଚିତ୍ରକୋଣ୍ଡା ଛକରେ ଓର୍କେଲ ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଏକ ଅଟୋ(ଓଆର ୧୦ସି ୭୬୬୩)କୁ ଯାଞ୍ଚ କରାଯିବାରୁ ଅଟୋ ଭିତରେ ବିଦେଶୀ ମଦ ରହିଥିବା ଦେଖିବାକୁ ମିଳିଥିଲା। ପରେ ପୁଲିସ ଅଟୋ ଡ୍ରାଇଭର ବାବୁଲା ପାଙ୍ଗିଙ୍କୁ ଗିରଫ କରିବା ସହ ମଦ ଜବତ କରି ଥାନାକୁ ନେଇଥିଲା। ଜବତ ମଦ ୭୫ଲିଟର ୭୨୦ମିଲିଲିଟର ଏବଂ ଏହାର ଆନୁମାନିକ ମୂଲ୍ୟ ୨୫ହଜାର ଟଙ୍କା ହେବ ବୋଲି ପୁଲିସ କହିଛି। ଅଟୋ ମାଲିକ ରାକେଶ ସିଂ ଫେରାର ଥିବା ଏବଂ ଗିରଫ ଅଟୋ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।

ସେହିପରି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢାଉ କରି ପୁଲିସ ୫ଜଣ ଜୁଆଡିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କୁଡୁମୁଲୁଗୁମ୍ମା ସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜୁଆ ଖେଳ ଚାଲିଥିବା ଖବର ପାଇ ଓର୍କେଲ ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ପୁଲିସ ୫ଜଣ ଜୁଆଡିଙ୍କୁ ଗିରଫ କରିବା ସହ ଜୁଆ ଆଡ୍ଡାରୁ ନଗଦ ୮ହଜାର ୫୦ଟଙ୍କା, ଗୋଟିଏ ବାଇକ୍ ଓ ୪ଟି ମୋବାଇଲ ଜବତ କରିଥିଲା।

ସମ୍ବନ୍ଧିତ ଖବର