ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଲା ମାଲକାନଗିରି ପ୍ରଶାସନ, ସୀମା ସିଲ୍‌, ସାପ୍ତାହିକ ହାଟ ବନ୍ଦ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦେଖାଇଛି ତତ୍ପରତା। ଆଜି ଡିଆର୍‌ଡିଏ ସଭା ଗୃହରେ ଜିଲ୍ଲାପାଳ ମନୀଷ ଅଗ୍ରଵାଲ, ସିଡିଏମ୍‌ଓ, ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଏବଂ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦିଲ୍ଲୀପ ସାମନ୍ତରାୟ ଉପସ୍ଥିତ ରହି କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି। କୌଣସି ବାହାର ବ୍ୟକ୍ତି ଯଦି ଜିଲ୍ଲା ଭିତରକୁ ଆସୁଛନ୍ତି ତାହେଲେ ତାଙ୍କର ସବିଶେଷ ତଥ୍ୟ ପ୍ରଶାସନକୁ ଦେବା ପାଇଁ କୁହାଯାଇଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁରୁଣା ମେଡିକାଲରେ ଅସ୍ଥାୟୀ କରୋନା ଗୃହରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଜଣେ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ ହେଲେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ସେ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ଜିଲ୍ଲା ହସପିଟାଲରେ ରଖି ଚିକିତ୍ସା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ସେପଟେ ଜିଲ୍ଲାର ସମସ୍ତ ସୀମା ସିଲ୍‌ କରି ଦିଆଯାଇଛି। ବସ୍‌ରେ ଆସୁଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବା ସହ ସଚେତନ କରାଯାଉଛି। ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ଭିଡ଼ ତୁରନ୍ତ ଖାଲି କରାଯାଉଛି। ଜିଲ୍ଲା ପ୍ରଶାସନ ସହ ମେଡିକାଲ, ପୁଲିସ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ସମସ୍ତେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଗାଁକୁ ଆସୁଥିବା ବାହାର ଲୋକଙ୍କ ସମ୍ପର୍କରେ ତୁରନ୍ତ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ମନ୍ତବ୍ୟ କିମ୍ବା ମିଥ୍ୟା ରିପୋର୍ଟ ପୋଷ୍ଟ ନକରିବା ପାଇଁ ତାଗିଦ କରାଯାଇଛି ।

ଆଜିଠାରୁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଥିବା ବେଳେ କାଁ ଭାଁ ବ୍ୟବସାୟ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ପଡ଼ିଆଠାରେ ଚାଲିଥିବା ବଡ଼ଯାତ୍ରା କରୋନା ପ୍ରଭାବରେ ଫିକା ପଡ଼ିଛି। କେବଳ ପୂଜକମାନଙ୍କୁ ପୂଜା କରିବା ପାଇଁ ମିଳିଛି ଅନୁମତି । ଆସନ୍ତାକାଲି ମାଲକାନଗିରିରେ ସାପ୍ତାହିକ ହାଟ ରହିଥିବାରୁ ଲୋକଙ୍କୁ ଅଯଥାରେ ଭିଡ଼ ନ ଜମାଇବା ପାଇଁ କୁହାଯାଇଛି। ଜିଲ୍ଲା ପ୍ରଶାସନ ସବୁ ଦିଗ ଉପରେ ନଜର ରଖିବା ସହ ସମସ୍ତଙ୍କ ସହଯୋଗ ମିଳିଲେ କରୋନାକୁ ଆମେ ଜୟ କରି ପାରିବା ବୋଲି କହିଛି ।

ସମ୍ବନ୍ଧିତ ଖବର