ମାଲକାନଗିରି: ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଯାଇଥିବା ୪ ଜଣଙ୍କ ଶବ ଉଦ୍ଧାର

ମାଲକାନଗିରି: ବାଲିମେଳା ଜଳଭଣ୍ଡାରରେ ବୁଡ଼ି ନିଖୋଜ ହୋଇ ଯାଇଥିବା ୪ ଜଣ ବ୍ୟକ୍ତିଙ୍କର ଶବ ବୁଧବାର ଦିନ ଉଦ୍ଧାର କରାଯାଇଛି।

ବାଲିମେଳା, ମାଲକାନଗିରି, ଖଇରପୁଟ, ମାଥିଲି ଏବଂ କୋରକୋଣ୍ଡା ଆଦି ୫ଟି ଅଗ୍ନିଶମ ବିଭାଗ ଟିମ୍‌ର ପ୍ରାୟ ୫୦ ସରିକ କର୍ମଚାରୀ ସାବରି ନଦୀର ଏହି ଜଳ ଭଣ୍ଡାରରେ ଦୀର୍ଘ ୪୮ ଘଣ୍ଟା ଖୋଜାଖୋଜି କରିବା ପରେ ୪ ଜଣଙ୍କର ଶବ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି।

ସୋମବାର ଦିନ ମାଲକାନଗିରିର କୋରକୋଣ୍ଡା ବ୍ଲକ୍‌ ଅଧୀନ ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ଦୁଇଟି ପରିବାରର ୭ଜଣ ସଦସ୍ୟ ବାଲିମେଳା ଜଳଭଣ୍ଡାର ଆରପାରିରେ ଥିବା ଚାଷଜମିରେ ଘାସଆଦି ବଛାବଛି କରିବାକୁ ଯାଇଥିଲେ। କାମ ସାରି ସେମାନେ ଏକ ଡିଙ୍ଗିରେ ଫେରୁଥିବା ବେଳେ ନଦୀର ମଝାମଝି ଅଞ୍ଚଳରେ ସେ ଫୁଟା ଓ ଦଦରା ଡିଙ୍ଗିଟି କୌଣସି କାରଣରୁ ଓଲଟି ପଡ଼ିଥିଲା।

୭ ଜଣଙ୍କ ମଧ୍ୟରୁ ୩ ଜଣ କୌଣସିମତେ ପହଁରାପହଁରି କରି କୂଳକୁ ଉଠି ଆସିଥିଲେ। ବାକି ଚାରି ଜଣ (୩ ଜଣ ମହିଳା ଓ ଜଣେ ଟିକିଝିଅ) ପାଣିରେ ବୁଡ଼ି ନିରୁଦ୍ଦେଶ ହୋଇ ଯାଇଥିଲେ।

ସେମାନେ ହେଲେ ୪୦ ବର୍ଷୀୟ ଦହନା ଶିଶା, ୨୫ ବର୍ଷୀୟ ରାଧିକା ଶିଶା, ୭୦ ବର୍ଷୀୟ ବୁଦରି ଶିଶା ଏବଂ ୨ ବର୍ଷୀୟ ତୁଳସୀ ଶିଶା।

ଚିତ୍ରାକୋଣ୍ଡା ପୁଲିସ ଶବ ସବୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର