ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟ କରୁଥିବା ଚନ୍ଦ୍ରମା ଭୁମିଆଙ୍କ ମୃତ୍ୟୁ ଘଟଣା: ସ୍ବାମୀ ବୁଦ୍ରା ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ

ମାଲକାନଗିରି: ମାଲକାନଗିରି ପୁଲିସକୁ ଏବେ ଦୁଇ ପଟରୁ ଚାପ ପଡୁଛି। ଗୋଟିଏ ହେଲା ଜିଲ୍ଲାପାଳଙ୍କ କେଶ ରୁଜୁ ନ କରି ଉଦାରତା ଦେଖାଇବା ଏବଂ ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟ କରୁଥିବା ଚନ୍ଦ୍ରମା ଭୁମିଆଙ୍କ ମୃତ୍ୟୁରେ ତଦନ୍ତ ନ କରିବା। ଚନ୍ଦ୍ରମାଙ୍କ ସ୍ବାମୀ ବୁଦ୍ରା ଗୌଡ ମାଲକାନଗିରି ଥାନାରେ ଗତ ମେ ମାସ ୯ ତାରିଖ ଦିନ ଏତଲା ଦାୟର କରିଥିଲେ। ଏତଲାକୁ ପୁଲିସ ଗ୍ରହଣ କରିଥିଲେ ମଧ୍ୟ ଏହା ଏକ ଅପମୃତ୍ୟୁ ମାମଲା ଦର୍ଶାଇ ତଦନ୍ତ କରି ନଥିଲା। ସ୍ବାମୀ ବୁଦ୍ରା କିନ୍ତୁ ନିଜ ପତ୍ନୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ରିପୋର୍ଟରେ ଦର୍ଶାଇଥିଲେ। ଇତି ମଧ୍ୟରେ ୭ ମାସ ବିତି ଯାଇଥିଲେ ମଧ୍ୟ ପୁଲିସ ଏହି ଘଟଣାକୁ ଚପାଇ ଦେବା ସହ ନିଜ କ୍ୟାଣ୍ଟିନରେ ଘଟଣା ଘଟିଥିବାକୁ ଅସ୍ବୀକାର କରି ଶିଥିଳତା ପ୍ରଦର୍ଶନ କରିଛି।

ତେଣୁ ଆଜି ବୁଦ୍ରା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଏତଲାର ତଦନ୍ତ ଲାଗି  ବୁଦ୍ରା ହାଇକୋର୍ଟରେ ଆବେଦନ କରିଛନ୍ତି। କିପରି ତାଙ୍କ ପତ୍ନୀକୁ ପୁଲିସ କ୍ୟାଣ୍ଟିନରେ ହତ୍ୟା କରାଯାଇଛି ସେ ନେଇ ଆବେଦନରେ ଦର୍ଶାଇଛନ୍ତି। ଏହି ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ପ୍ରକାଶ କରିଛନ୍ତି ଯେ ସାତ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ଜନସାଧାରଣଙ୍କୁ ଏହି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିପାରିଲା ନାହିଁ। ଜନସାଧାରଣ ଚନ୍ଦ୍ରମା ମୃତ୍ୟୁ ଘଟଣା ବିଷୟରେ ଅଜ୍ଞ ରହିଲେ। ପୁଲିସ କ୍ୟାଣ୍ଟିନରେ ଏହି ଘଟଣା ଘଟିଥିବାରୁ ଏହାକୁ ପୁଲିସ ଚପାଇ ଦେବାକୁ ଚାହୁଁଛି।

ତେଣୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିବାରୁ ଏହାର ଉଚିତ ତଦନ୍ତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ମେ ୭ ତାରିଖ ଦିନ ସ୍ଥାନୀୟ ଟେକବାଡି ସାହିରେ ବାସ କରୁଥିବା ଚନ୍ଦ୍ରମା ନିଜ ଘରେ ଅସହାୟ ହୋଇ ପଡି ରହିଥିଲେ। ପୁଲିସ କ୍ୟାଣ୍ଟିନ ଚଳାଉଥିବା ବିବିସି ଦାସ ଏହା ଜାଣିବା ପରେ ସେ ସ୍ବାମୀ ବୁଦ୍ରାକୁ ଡାକି ପତ୍ନୀକୁ ତୁରନ୍ତ ମେଡିକାଲ ନେବାକୁ କହିଥିଲେ। ତେବେ ମେଡିକାଲ ନେବା ପରେ ବୁଦ୍ରା ପତ୍ନୀ ଚନ୍ଦ୍ରମାର ଦେହସାରା କ୍ଷତ ଦେଖିବା ପରେ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଥିଲେ। ପ୍ରକାଶ ଥାଉକି ବୁଦ୍ରା ତାର ଅନ୍ୟ ଏକ ସ୍ତ୍ରୀ ସହ ଡିଏନକେରେ ରହୁଥିଲା। ଏବେ ଏହି ଘଟଣା ପୁଣି ସରଗରମ ହୋଇଛି।

ସମ୍ବନ୍ଧିତ ଖବର