ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):ଏମଭି ୨୬ ଗ୍ରାମରେ ବିଏନଏସଏସ ୧୬୩ ଧାରା ଉଚ୍ଛେଦ କରାଯାଇଛି ବୋଲି ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ମଧ୍ୟ ଉପସ୍ଥିତ ଥିଲେ। ଅଧିକାଂଶ ଗ୍ରାମବାସୀ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା କଥା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏମଭି ୨୬ ଗ୍ରାମରେ ଶାନ୍ତି ଫେରିଛି। ଇଣ୍ଟରନେଟ୍ ସେବାକୁ ଆହୁରି ୩୬ ଘଣ୍ଟା ଅର୍ଥାତ୍ ସୋମବାର ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଶାନ୍ତି କମିଟି ବୈଠକ କରାଯାଇଛି। ଶାନ୍ତି କମିଟି ବୈଠକ ସଫଳ ହୋଇଛି। ସମସ୍ତଙ୍କ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପୂର୍ବଭଳି ଫେରି ଆସିଛି।
ପୁଲିସ ଅଧିକାରୀଙ୍କ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳ ମାନଙ୍କରେ ମଧ୍ୟ ଶାନ୍ତି କମିଟି ବୈଠକ କରାଯାଉଛି। ସେହିପରି ଉଭୟ ପକ୍ଷ ଜିଲ୍ଲାପାଳ ଓ ଏସପିଙ୍କ ସହ ଅହରହ ଯୋଗାଯୋଗରେ ଥିବା କଥା ପ୍ରକାଶ କରିଛନ୍ତି ଜିଲ୍ଲାପାଳ। ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ବନଖଣ୍ଡ ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଦିବାସୀ ସମାଜର ପ୍ରତିନିଧିଙ୍କ ସହ ଦୀର୍ଘ ଦିନରୁ ରହିଥିବା ଜମି ଓ ରାଜସ୍ବ ସମ୍ପର୍କିତ ବିଷୟରେ ଆଲୋଚନା କରାଯାଇଛି।
୩କୋଟି କ୍ଷତି ଆକଳନ
ସେହିପରି ଏମଭି-୨୬ ଗ୍ରାମରେ ପୋଡାଜଳା ଓ ଭଙ୍ଗାରୁଜା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ଏସପି ବିନୋଦ ପାଟିଲ ପ୍ରକାଶ କରିଥିଲେ। ମୃତକ ମହିଳାଙ୍କ ସନ୍ତାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆହୁରି ୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। କ୍ଷୟକ୍ଷତିର ଭରଣା ପାଇଁ ଏକ ଆକଳନ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ପୂର୍ବରୁ ଏମଭି ୨୬ ଗ୍ରାମରେ ନଷ୍ଟ ହୋଇଥିବା ଘର, ଦୋକାନ ଗୃହ ଏବଂ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତି ୩ କୋଟି ୪୦ ଲକ୍ଷ ଆକଳନ କରାଯାଇଥିବା ବେଳେ ଏବେ ପୁଣି ପ୍ରାୟ ୪୦ ଲକ୍ଷ ଟଙ୍କା ଆକଳନ କରାଯାଇଛି। ସମସ୍ତ ଗୃହକୁ ବିଦ୍ୟୁତ୍ ସଂଯୋଗୀକରଣ ପୁନଃ ସ୍ଥାପିତ କରାଯାଇଛି।
ଆହୁରି ପଢ଼ନ୍ତୁ: Malkangiri Violence: ମାଲକାନଗିରି ହିଂସା: ପୁଣି ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା
ପୀଡ଼ିତଙ୍କୁ ସହାୟତା ପ୍ରଦାନ
ପୀଡିତଙ୍କୁ ଦିନକୁ ଦୁଇ ଥର ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। କମ୍ବଳ, ବିଛଣା, ଟାରପଲିନ, ଶାଢ଼ି, ଲୁଙ୍ଗି, ଗାମୁଛା, ମଗ୍, ଜାରକିନ୍, ପୋଷାକ ଇତ୍ୟାଦି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ଠିକ୍ କରି ଦିଆଯାଇଛି। ସ୍କୁଲ୍ ପିଲାଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଗର୍ଭବତୀ ମହିଳା ଓ ଶିଶୁଙ୍କ ନିମନ୍ତେ ଟେକ୍ ହୋମ୍ ବ୍ୟବସ୍ଥା କରାଯାଇଛି। ବହୁତ୍ ଶୀଘ୍ର ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲିବ। ପିଲାଙ୍କ ପାଇଁ ୟୁନିଫର୍ମ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୁଲିସ ଲୋକଙ୍କ ମନବଳ ବୃଦ୍ଧି କରିବା ଓ ସୁରକ୍ଷା ଯୋଗାଇବା ପାଇଁ ଏବେ ବି ସେଠାରେ ଜଗିବା ସହ ପ୍ଲାଗ ମାର୍ଚ୍ଚ କରୁଛି।
ଆହୁରି ପଢ଼ନ୍ତୁ: Nilamadhav Basti: ନୀଳମାଧବ ବସ୍ତିରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା: ୮୦ ପରିବାରଙ୍କ ଘର ଭାଙ୍ଗିଲା, ପୁଲିସ-ବସ୍ତିବାସିନ୍ଦା ମୁହାଁମୁହିଁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/12/13/mkg-collector-and-sp-press-meet-2025-12-13-21-26-06.jpg)