ମାଲକାନଗିରିର ନୟନ ଯିବ ସ୍ପେନ

ମାଲକାନଗିରି: ନୟମ ମାଡକାମୀ। ବୟସ ମାତ୍ର ୮ ବର୍ଷ। ବର୍ତ୍ତମାନ କୋରାପୁଟ ଜିଲ୍ଲା ଦଶମନ୍ତପୁର ସ୍ଥିତ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦାୟିତ୍ୱରେ ରହିଛି। ପିଲାଟି ଦିନରୁ ବାପା, ମା’ଙ୍କୁ ହରାଇଥିବା ଏହି ଅନାଥ ଶିଶୁ ଖୁବଶୀଘ୍ର ନୂଆ ପରିବାରର ସଦସ୍ୟ ହେବାକୁ ଯାଉଛି। ସୁଦୂର ସ୍ପେନର ଦମ୍ପତି ଏହି କଅଁଳା ଶିଶୁକୁ କୋଳେଇ ନେବାକୁ ଚାହୁଁଛନ୍ତି। ସ୍ପାନିସ୍‌ ଦମ୍ପତି ଇଭାନ ହେରନାଡୋ ଡମେନଚ୍‌ ଏବଂ ତାଂକ ପତ୍ନୀ ସୁଶାନା ନାଭରେଟ ଫା ଆଜି ମାଲକାନଗିରି ଆସି ନୟନର ଗାଁ ଦରିଗୁଡା ବୁଲିବାକୁ ଯାଇଥିଲେ। ମାଲକାନଗିରି ବ୍ଲକ ତମସା ପଞ୍ଚାୟତର ଏହି ଛୋଟିଆ ଗାଁରେ ନୟନ ଜନ୍ମ ହୋଇଥିଲା। ତାକୁ ଯେତେବେଳେ ମାତ୍ର ୨ବର୍ଷ ବୟସ ହୋଇଥିଲା ଅଜଣା ରୋଗରେ ବାପା, ମା’ ଆରପାରିକୁ ଚାଲି ଯାଇଥିଲେ।

ଏହାପରେ ସିଡବ୍ଲୁସି ତାକୁ ଉଦ୍ଧାର କରି ପ୍ରଥମେ ଶିଶୁ ଗୃହରେ ରଖିଥିଲା। ପରବର୍ତୀ ସମୟରେ ଦଶମନ୍ତପୁର ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଯାଇଥିଲା। ତେବେ ଅନଲାଇନରେ ନୟନ ସଂପର୍କରେ ଜାଣିବା ପରେ ସ୍ପାନିସ୍‌ ଦଂପତି ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ଓଡ଼ିଶା ଆସି ପହଞ୍ଚିଛନ୍ତି। ଆଜି ସିଡବ୍ଲୁସି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନଙ୍କ ସହ ସାକ୍ଷାତ କରି ଏହି ଦମ୍ପତି ନୟନକୁ ପୋଷ୍ୟ ଭାବେ ଗ୍ରହଣ କରୁଥିବା ପ୍ରକାଶ କରିଥିଲେ। ସମସ୍ତ କାଗଜ ପତ୍ର କାମ ସରିବା ପରେ ନୟନ ସ୍ପେନ ଯିବ। ତେବେ ସେ ସ୍ପେନ ଯିବା କଥା ଜାଣିବା ପରେ ବହୁତ ଖୁସି ରହିଥିବା କହିଛି। ପ୍ରକାଶଥାଉକି ସ୍ପେନର ଏହି ଦମ୍ପତିଙ୍କ କୌଣସି ସନ୍ତାନ ନଥିବା ଯୋଗୁଁ ସେମାନେ ବିଜ୍ଞାପନ ଦେଖି ନୟନକୁ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର