ମାଓନେତା ଗଣପତି ଶଯ୍ୟାଶାୟୀ:ସଚିବ ନାଂବାଲା ନେବେ ସଂଗଠନ ଦାୟିତ୍ୱ

ମାଲକାନଗିରି: ମାଓବାଦୀଙ୍କ ସଂଗଠନରେ ହେବାକୁ ଯାଉଛି ବଡ ପରିବର୍ତନ। ଯାହାକୁ ନେଇ ସଂଗଠନ ଏବଂ ସାଧାରଣରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ମାଓବାଦୀ ସଂଗଠନର ସୁପ୍ରିମୋ କୁହାଯାଉଥିବା କମାଣ୍ଡର ଗଣପତି ଗୁରୁତର ଅବସ୍ଥାରେ ଶଯ୍ୟାଶାୟୀ ଅଛନ୍ତି। ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତିର ଦୁଇଟି ଗୋଡ ଅକାମୀ ହୋଇଯାଇଥିବା ଯୋଗୁଁ ସେ ପୂର୍ବ ପରି ଆଉ ଚାଲି ପାରୁନାହାନ୍ତି। ତେଣୁ ଏହି ପଦବି ପାଇଁ ପ୍ରଥମ ଦାବିଦାର ହେଉଛନ୍ତି ସେଣ୍ଟ୍ରାଲ ମିଲିଟ୍ରି କମିଶନ ସଚିବ ନାଂବାଲା କେଶବ ରାଓ ଓରଫ ପଙ୍କଜ ଓରଫ ଗଂଗନ୍ନା ଓରଫ ଗଗନ। ଏନେଇ ଆନୁଷ୍ଠାନିକ ଭାବେ ସଂଗଠନ ପକ୍ଷରୁ କୌଣସି ପ୍ରକାର ଘୋଷଣା ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ। ଏଭଳି ପଦୋନ୍ନତି ପାଇଁ କଂଗ୍ରେସ ବୈଠକରେ ଅନୁମୋଦନକୁ ଅପେକ୍ଷା କରାଯାଇଛି। ସୁରକ୍ଷାକର୍ମୀଙ୍କ ଘନ ଘନ ଚଢାଉ ଯୋଗୁଁ ନକ୍ସଲ ଏବେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ବାରମ୍ବାର ଠିକଣା ବଦଳାଇବାକୁ ବାଧ୍ୟ ହେଉଛନ୍ତି।

ତେଣୁ ବୈଠକ ହୋଇପାରୁ ନଥିବାରୁ ପଦୋନ୍ନତି ପ୍ରକ୍ରିୟା ବିଳମ୍ବ ହେଉଥିବା କୁହାଯାଉଛି। ତଥାପି ଅଳ୍ପଦିନ ମଧ୍ୟରେ ବୈଠକ ବସିବ। ସେହି ବୈଠକରେ ସମସ୍ତ ସେଣ୍ଟ୍ରାଲ ଟିମ ମେମ୍ବର ଉପସ୍ଥିତ ରହିବେ। ଯେହେତୁ ନେତା ବଦଳି ନାହାନ୍ତି, ତେଣୁ କାଗଜରେ ଏବେ ବି ମାଓ ସଂଗଠନର ସୁପ୍ରିମୋ ଗଣପତି ବୋଲି ଲେଖାଯାଉଛି। ଯଦି ନାଂବାଲା କେଶବ ରାଓ ସଂଗଠନର ସୁପ୍ରିମୋ ହୋଇଯାଉଛନ୍ତି, ତେବେ ହିଂସା ବଢିବ ବୋଲି ଅନୁମାନ କରୁଛି ପୁଲିସ। ଗୁଇନ୍ଦା ବିଭାଗର କହିବା ହେଲା ଗଣପତି ଠାରୁ ନାଂବାଲାକୁ ଦାୟିତ୍ୱ ମିଳିଲେ ହିଂସା ବଢିବା ସହ ପୁଲିସ ଏବଂ ନିରୀହ ଜନତାଙ୍କୁ ଟାର୍ଗେଟ କରାଯିବ। ନାଂବାଲା ଯେଉଁ ପଦବୀରେ ରହିଛି, ତାହା ହେଉଛି ହିଂସା ଘଟାଇବା ପାଇଁ ରଣକୌଶଣ ପ୍ରସ୍ତୁତ କରିବା।

ଏହି ପଦବିରେ ଦାୟିତ୍ୱ ନେଇ ସଂଗଠନର ସୁପ୍ରିମୋ ହେବା ପରେ ଆହୁରି ସେ ଘାତକ ହେବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ମାଓ ସଂଗଠନ ବଡ ସମସ୍ୟା ଦେଇ ଗତି କରୁଛି। ସେଣ୍ଟ୍ରାଲ କିମିଟିରେ ଯେଉଁ ୨୧ ଜଣ ସଦସ୍ୟ ରହିଛନ୍ତି ସମସ୍ତଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ ହେବ। ସମସ୍ତେ ଆଗ ଭଳି ଆଉ କାମ କରିପାରୁନାହାନ୍ତି। ତେଣୁ ଦ୍ୱିତୀୟ ସେଣ୍ଟ୍ରାଲ କମିଟି ତିଆରି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଥିବା ଜଣାପଡିଛି। ଅପରପକ୍ଷରେ ଚଳପ୍ରଚଳ କରିପାରୁ ନଥିବା ଗଣପତିକୁ ଗିରଫ କରିବା ପାଇଁ ଏହା ଏକ ବଡ ସୁଯୋଗ ବୋଲି ଆଲୋଚନା ଚାଲିଛି। ଗୋଟିଏ ସ୍ଥାନରେ ହିଁ ପଡି ରହୁଥିବାରୁ ଗୁଇନ୍ଦା ସୂଚନା ଅନୁଯାୟୀ ତାକୁ ତୁରନ୍ତ ଗିରଫ କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର