ମାଲକାନଗିରି : ସ୍ବାଭିମାନ ଅଞ୍ଚଳରେ ସୁରକ୍ଷା ବାହିନୀ-ମାଓବାଦୀ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନିଗିରିର ସ୍ବାଭିମାନ ଅଞ୍ଚଳରେ ଚାଲିଥିବା ସୁରକ୍ଷା ବାହିନୀ-ମାଓବାଦୀ ଗୁଳିବିନିମୟ ଶେଷ ହୋଇଛି । ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିବାବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି ।

ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ଯେ ଗୁଇନ୍ଦା ସୂଚନା ମିଳିବା ପରେ ମଙ୍ଗଳବାରଦିନ ଓଡ଼ିଶା ପୁଲିସର ଏସଓଜି, ଡିଭିଏଫ, ବିଏସଏଫ ଓ ଆନ୍ଧ୍ରପ୍ରଦେଶ ପୁଲିସର ମିଳିତ ବାହିନୀ ପକ୍ଷରୁ ଏକ ନକ୍ସଲ-ବିରୋଧୀ ଅପରେସନ ଆରମ୍ଭ କରାଯାଇଥିଲା ।

ମାଲକାନଗିରି-ଆନ୍ଧ୍ର ସୀମାରେ ଥିବା ପେପରମେଟଲା ଥାନା ଅଞ୍ଚଳରେ ଥିବା ଭୀମରାମ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବାହିନୀ କମ୍ବିଂ ଅପରେସନ କରୁଥିବାବେଳେ ମାଓବାଦୀମାନେ ହଠାତ ଗୁଳିଚାଳନା କରିଥିଲେ । ସୁରକ୍ଷାବାହିନୀ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା । କିଛିସମୟ ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ପୁଲିସ ପକ୍ଷରୁ ଆଇଇଡି, ଜୀବନ୍ତ ଗୁଳି, ଏସଏଲଆର ମାଗାଜିନ, ଡିଟୋନେଟର, ରେଡିଓ, ମାଓ ପୁସ୍ତକ, ମାଓ ୟୁନିଫର୍ମ ଆଦି ଜବତ ହୋଇଛି ।

ସମ୍ବନ୍ଧିତ ଖବର