ମାଲକାନଗିରି: ଲାଲଗଡ଼ରେ ନକ୍ସଲମାନେ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ ସରକାର ଓ ପ୍ରଶାସନକୁ କଡ଼ା ଚେତାବନୀ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା ବ୍ୟୟରେ ଚାଲିଥିବା ରାସ୍ତା ନିର୍ମାଣ କାମକୁ ସେମାନେ ବିରୋଧ କରିଛନ୍ତି। ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସ୍ଥାନରୁ ସୋମବାର ନକ୍ସଲ ପୋଷ୍ଟର ଓ ବ୍ୟାନର ଉଦ୍ଧାର କରାଯାଇଛି। ପୋଷ୍ଟର ଓ ବ୍ୟାନରରେ ଉଲ୍ଲେଖ କରାଯାଇଛି, ଜିଲ୍ଲାରେ ସମସ୍ତ ରାସ୍ତା ନିର୍ମାଣ କାମକୁ ବନ୍ଦ କରାଯାଉ। ନକ୍ସଲ ଦମନ ପାଇଁ ଏହି ସବୁ ରାସ୍ତାଗୁଡ଼ିକର ନିର୍ମାଣ କରାଯାଉଛି। ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରି ଜନତାଙ୍କ ଉପରେ ଜୁଲମ କରିବା ଉଦ୍ଦେଶ୍ୟରେ ଏହି ରାସ୍ତା ନିର୍ମାଣ କରାଯାଉଛି।
ଏମ୍ଭି ୧୦ ଠାରୁ ଦୀର୍ଘ ଆଠ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏଗୁଡ଼ିକର ନିର୍ମାଣ କାମ ତୁରନ୍ତ ବନ୍ଦ କରାଯାଉ। ନହେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ନକ୍ସଲମାନେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଗମନାଗମନ ଓ ଯୋଗାଯୋଗ ମାଧ୍ୟମରେ ବିକାଶ ଆଣି ଲୋକଙ୍କର ସାମାଜିକ ଓ ଆର୍ଥିକ ଜୀବନ ଉପରେ ପରିବର୍ତ୍ତନ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ନକ୍ସଲମାନେ ମଝିରେ ମଝିରେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ତିନି ମାସ ତଳେ ଖଇରପୁଟ ବ୍ଲକର କର୍ଣ୍ଣାଘାଟିରେ ରାସ୍ତାକାମ ଚାଲିଥିବା ବେଳେ ନକ୍ସଲମାନେ ୧୦ଟି ଗାଡ଼ି ପୋଡ଼ି ଦେଇଥିଲେ। ସେହିପରି ମାଥିଲି ବ୍ଲକର ମହୁପଦରେ ୪ରୁ ୫ଟି ଗାଡ଼ି ଜାଳି ଦେଇଥିଲେ। ସୀମାନ୍ତ ସୁକମାରେ ୨ ମାସ ଭିତରେ ନକ୍ସଲମାନେ ପ୍ରାୟ ୧୦୦ ଟି ଗାଡ଼ିରେ ନିଅାଁ ଲଗାଇ ଦେଇଛନ୍ତି।