ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋଟିଏ ପଟେ ମାଓବାଦୀଙ୍କ ଆତ୍ମସମର୍ପଣ ପର୍ବ ଚାଲିଥିବା ବେଳେ ଅନ୍ୟପଟେ ନକ୍ସଲ ଏବେ ବି ନିଜର ଦବଦବା ରହିଥିବା ନେଇ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି। ବିଜାପୁର ଜିଲ୍ଲାର ଅସୁର ଥାନା ଅନ୍ତର୍ଗତ ନେଲାକାଂକେର ଗ୍ରାମର ଦୁଇ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ନେଲା କାଂକେର ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ରବି କୁଟ୍ଟୁମ ଏବଂ ତିରୁପତି ସୋଡି ନାମକ ଦୁଇ ଗ୍ରାମବାସୀଙ୍କୁ ଖୋଜିଥିଲେ। ଗ୍ରାମବାସୀ ରାତିରେ ନକ୍ସଲଙ୍କୁ ଗାଁରୁ ତଡିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ନକ୍ସଲ ସମସ୍ତ ଗ୍ରାମବାସୀଙ୍କ ସମ୍ମୁଖରେ ରବୀ ଏବଂ ତିରୁପତିଙ୍କୁ ଘରୁ ଟାଣି ଆଣି ସମସ୍ତଙ୍କ ସାମ୍ନାରେ ହତ୍ୟା କରିଥିଲେ।

Advertisment

ଗ୍ରାମବାସୀଙ୍କୁ ମାଓବାଦୀଙ୍କ ଚେତାବନୀ

ରବି ଓ ତିରୁପତିଙ୍କୁ ପୁଲିସ ଇନଫର୍ମର ଭାବେ କାମ କରୁଥିବା ନକ୍ସଲ କହିଥିଲେ। ଯେଉଁମାନେ ଏଭଳି କାମ କରିବେ ସେମାନଙ୍କୁ ଏଭଳି ଦଣ୍ଡ ମିଳିବ ବୋଲି ଧମକାଇଥିଲେ। ଆଜି ସକାଳୁ ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଶହ ଶହ ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ କିଛି ଗୋଷ୍ଠୀ ଏବେ ବି ସଂଗଠନରେ ରହି ନିଜର ପତିଆରା ରହିଥିବା ପୁଲିସକୁ ସୂଚାଉଛନ୍ତି। ପୁଲିସ ଏହାକୁ ଗମ୍ଭୀରତାର ସହ ନେଇଛି। ଗତ ଏକ ମାସ ହେବ ଅପରେସନ ବନ୍ଦ ରହିଥିଲେ ମଧ୍ୟ ପୁଲିସ କୌଣସି ମୁହର୍ତ୍ତରେ ମଧ୍ୟ ନକ୍ସଲ ଦମନ ନେଇ ଅପରେସନ ଆରମ୍ଭ କରିପାରେ। ସଂଗଠନରୁ ଲଗାତାର କ୍ୟାଡର ଏବଂ ଶୀର୍ଷ ନେତୃତ୍ବ ମଣ୍ଡଳୀ ହତିଆର ହସ୍ତାନ୍ତର କରି ଆତ୍ମସମର୍ପଣ କରୁଥିବା ବେଳେ ଅନ୍ୟପଟେ ନକ୍ସଲ ନିଜର ସଂଗଠନ ଏବେ ବି ଜୀବିତ ରହିଥିବା ଏହି ହତ୍ୟାକାଣ୍ଡ ଘଟାଇ ସୂଚାଉଛନ୍ତି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: Maoists Surrender: ରାମଧରଙ୍କ ସମେତ ଆତ୍ମସମର୍ପଣ କଲେ ୫୦ ମାଓବାଦୀ; ଚଳିତ ମାସ ସଂଖ୍ୟା ପହଞ୍ଚିଲା ୩୫୦

ପୁଣି ଗୋଟିଏ ବଡ଼ଧରଣର ଆତ୍ମସମର୍ପଣ!

୩୫୦ ନକ୍ସଲଙ୍କ ଆତ୍ମସମର୍ପଣ ପରେ ପୁଣି ଗୋଟିଏ ବଡ଼ଧରଣର ଆତ୍ମସମର୍ପଣ ହେବାକୁ ଯାଉଛି। ଉନ୍ଦତି ଏରିଆ କମିଟି ସଚିବ ସୁନୀଲଙ୍କ ଚିଠିରୁ ଏହି ସୂଚନା ମିଳିଛି। ଯାହା ସଂକେତ ମିଳୁଛି, ଗରିଆବନ୍ଧରେ ଏହି ଆତ୍ମସମର୍ପଣ ହେବ। ସୁନୀଲ ସଂଗଠନର ସାଥୀଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି। ସେଥିରେ ଗତ ୧୬ ତାରିଖରେ ସୋନୁ ଦାଦା ମହାରାଷ୍ଟ୍ରର ଗଡଚିରୋଲିରେ ୬୧ଜଣ ସାଥୀଙ୍କ ସହ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଉଲ୍ଲେଖ ହୋଇଛି। ସେହିପରି ୧୭ତାରିଖରେ ବସ୍ତରରେ ରୂପେଶ ଓରଫ ସତୀଶ ଦାଦା ସଶସ୍ତ୍ର ଆନ୍ଦୋଳନ ବନ୍ଦ କରିଛନ୍ତି। ରୂପେଶଙ୍କ ସହ ୨୧୦ଜଣ କମ୍ରେଡ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Election: ‘ନିର୍ବାଚନ ଆୟୋଗ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ, ପରାମର୍ଶର ଅନୁପାଳନ ସୁନିଶ୍ଚିତ କରିବେ ରାଜନୈତିକ ଦଳ’