ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସୀମାନ୍ତ ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଶନିବାର ଦିନ ଏକ ଆତଶବାଜି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ବିସ୍ଫୋରଣ ଆଜି ଦ୍ବିପହର ୨ଟା ସମୟରେ ସମରଲକୋଟା ମଣ୍ଡଳ ଅନ୍ତର୍ଗତ ୱେଟଲାପାଲେମରେ ଗୋଦାବରୀ କ୍ୟାନାଲ୍ ନିକଟରେ ଥିବା “ସୂର୍ୟ ଶ୍ରୀ ଫାୟାର୍‌ୱର୍କ୍ସ” କାରଖାନାରେ ଘଟିଥିଲା। ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିଶିଖା ଓ ଘନ ଧୂଆଁ ସମଗ୍ର ଅଞ୍ଚଳକୁ ଆବରଣ କରିଦେଇଥିଲା। ଯାହାରୁ ପାଖପାଖି ଗାଁରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।

Advertisment

ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଏହାର ଶବ୍ଦ ପ୍ରାୟ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିବା ସୂଚନା ମିଳିଛି। ୧୧ ମୃତଦେହର ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କର ପରିଚୟ ଖୋଜା ଚାଲିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୨୧ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିତିବା କହିଛନ୍ତି। ସେମାନେ ହେଲେ ଆଦାବାଲା ଶ୍ରୀନୁ, କାଡିମ୍ପାଲ୍ଲି କୃପାମ୍ମା,କାଡିମ୍ପାଲ୍ଲି ଧନରାଜୁ,ସାଧନାଲା ସତ୍ୟବେଣୀ, ଭାଟ୍ଲୁରୀ ରବି, ମଣ୍ଡପାଲ୍ଲି ଚିନ୍ନି, ନିମ୍ମାଦା କରୁଣା, ଗାମ୍ପାଲା ମଙ୍ଗା, ଗୋଡାଟା ମହେଶ, ଗୋଡାଟା ରାମୁ ଏବଂ ଗୋଡାଟା ନାନି। ଅନ୍ୟ ମୃତଦେହର ପରିଚୟ କାମ ଏବେ ବି ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ମାଛ ଧରିବା ବେଳେ ଡିନାମାଇଟ ବିସ୍ପୋରଣ, ମତ୍ସ୍ୟଜୀବୀ ମୃତ

ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଘଟଣା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରି ତତ୍କାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହତମାନଙ୍କୁ ଉତ୍କୃଷ୍ଟ ଚିକିତ୍ସା ଦେବାକୁ ଅଧିକାରୀମାନଙ୍କୁ ନିଦେଶ ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ ଅନୁମୋଦିତ ସୀମାଠାରୁ ଅଧିକ ପଟାକା ସଂଗ୍ରହ କିମ୍ବା ଉତ୍ପାଦନ କରାଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତଥାପି ସଠିକ କାରଣ ତଦନ୍ତ ପରେ ଜଣାପଡିବ। ଅଗ୍ନିଶମ ବିଭାଗ ଦୁଇଟି ଫାୟାର୍‌ ଇଞ୍ଜିନ୍‌ ସହ ଘଟଣାସ୍ଥଳକୁ ପହଞ୍ଚି ଅଗ୍ନିନିବାରଣ କାର୍ଯ୍ୟ ଚାଲୁ ରଖିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଵାଇ.ଏସ ଜଗମୋହନ ରେଡ୍ଡୀ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରି ମୃତକମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କଠୋର ସୁରକ୍ଷା ନିୟମ ପାଳନ ଓ ପୂର୍ଣ୍ଣ ତଦନ୍ତ ଦାବି କରିଛନ୍ତି।