ପାଦରେ ଚାଲି ଚାଲି ୪ ଘଣ୍ଟା ପରେ ମାଓ ଇଲାକାରେ ପହଞ୍ଚିଲା ଡାକ୍ତରୀ ଦଳ

ମାଲକାନଗିରି: ପାଦରେ ଚାଲି ଚାଲି ୪ ଘଣ୍ଟା ପରେ ମାଓ ଇଲାକାରେ ପହଞ୍ଚିଲେ । ଗାଁରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ବି ଯୋଗାଇଲେ । ୮ କିମିର ପାହାଡି ରାସ୍ତା ଅତିକ୍ରମ କରି ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓଦୁର୍ଗ ଦଣ୍ଡିପଦରଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଫେରିଛନ୍ତି ମାଥିଲିର ସ୍ୱତନ୍ତ୍ର ମେଡିକାଲ ଟିମ୍ । ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ କରି ପାହାଡି ଗାଁରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଛି । ଘଞ୍ଚ ଜଙ୍ଗଲ ଓ ପାହାଡ଼ି ରାସ୍ତାକୁ ଅତିକ୍ରମ କରି ଦଣ୍ଡିପଦରରେ ସ୍ୱାସ୍ଥ୍ୟ ସଚେତନ କରିଛନ୍ତି ।

ଲୋକମାନଙ୍କର ବିଭିନ୍ନ ରୋଗର ପରୀକ୍ଷା କରି ଔଷଧ ଯୋଗାଇଛି ଟିମ୍ । ମ୍ୟାଲେରିଆ , ନିମୋନିଆ ଭଳି ବିଭିନ୍ନ ରୋଗ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝି ରକ୍ତ ପରୀକ୍ଷା କରାଯାଇଛି । ଓଡ଼ିଶା–ଛତିଶଗଡ ର ମାଥିଲି ଅଞ୍ଚଳର ତୁଳସୀ ଓ ଦଣ୍ଡିପଦରର ମାଓଗଡ ଭାବେ ପରିଚିତ । କୈଣସି ଲୋକେ ମାଓଭୟ ଯୋଗୁ ତଳକୁ ଆସନ୍ତି ନାହିଁ । ପାହାଡ଼ ଉପରେ ହିଁ ଭରସା କରି ରହି ଆସିଥାନ୍ତି ଲାଲଗଡର ନିରୀହ ଆଦିବାସୀ । ତେବେ ସେମାନଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଉଦ୍ୟମ ଅରମ୍ଭ କରିଛି ମାଥିଲି ସ୍ୱାସ୍ଥ୍ୟ ଟିମ୍ । ଡାକ୍ତରଙ୍କ ସମେତ ସୁପରଭାଇଜର, ଆଶା ଏବଂ ଅଙ୍ଗନଓାଡି ଦିଦିମାନେ ମଧ୍ୟ ଏହି ଟିମରେ ସାମିଲ୍‌ ଥିଲେ ।

ସମ୍ବନ୍ଧିତ ଖବର