ପଡିଆ : ଆନ୍ଧ୍ରକୁ ଯାଇଥିଲେ ଦାଦନ ଖଟି ପରିବାର ଲୋକଙ୍କ ପେଟକୁ ଦାନା ଯୋଗାଇବା ସହ ଘରର ଆର୍ଥିକ ସ୍ୱଚ୍ଛଳତା ଆଣିବାକୁ । ହେଲେ ଦଇବ ଦାଉ ସାଜିଲା ପରି ମଜୁରୀ ଲାଗୁଥିବା ବେଳେ ଏକ ଦୁର୍ଘଟଣା ବଦଳାଇଦେଲା ପୁରା ଜୀବନ, ହସଖୁସି ଭରା ପରିବାର ବୁଡିଗଲା ଦୁଃଖ ଲହରୀରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ପାଡଗାନପଲ୍ଲୀ ର ଇରମା ମାଡକାମି ପରିବାରରେ। ଗତ କିଛି ବର୍ଷ ଧରି ଆର୍ଥିକ ଅନାଟନ ସହ ଚିକିତ୍ସା ଅଭାବରୁ ଯନ୍ତ୍ରଣା ରେ ଦିନ କାଟୁଛନ୍ତି ଇରମା ।
ସୂଚନାଯୋଗ୍ୟ ଯେ, ଇରମା ମାଡକାମି (୫୦) ଚାରି ବର୍ଷ ତଳେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣା ପରେ ସେ ନିଜର ଏକ ଅଙ୍ଗକୁ ହରାଇ ବସିଥିଲେ । ଯାହା ଫଳରେ ମୂତ୍ରାଶୟ ଭିତରେ ଏକ ଅଂଶ ନଷ୍ଟ ହେଇଯାଇଥିଲା ଓ ଏଥିପାଇଁ ସେ ଧାର ଉଧାର କରି ଅସ୍ତ୍ରୋପଚାର କରାଇଥିଲେ । ଆଶ୍ଚର୍ଯ୍ୟକଥା ସେ କାମ କରୁଥିବା ସଂସ୍ଥା ମଧ୍ୟ ତାଙ୍କୁ କୌଣସି ଆର୍ଥିକ ସହାୟତା ପ୍ରଦାନ କରିନଥିଲା ।
ଏହାପରେ ଅର୍ଥାଭାବ ଯୋଗୁଁ ପରବର୍ତ୍ତୀ ଚିକିତ୍ସା କରାଇ ନପାରି ବାଧ୍ୟ ହୋଇ ସେ ନିଜ ଘର କୁ ଫେରି ଆସିଥିଲେ। ଗତ ଚାରି ବର୍ଷ ଧରି ଅର୍ଥ ଅଭାବରୁ ସେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଥିବା ବେଳେ ଚାହିଁ ବସିଛନ୍ତି ସରକାରୀ ସହାୟତାକୁ । ଘରେ ଖାଇବା ପାଇଁ ନା ଅଛି ଦାନା ନା ଅଛି ଲୁଣ ନିଜର ଗୁଜୁରାଣ ପାଇଁ ଅକ୍ଷମତା ଯୋଗୁ ଭାରି କଷ୍ଟ ରେ ଜୀବନ ବିତାଉଛନ୍ତି ଏହି ଦମ୍ପତି। ନିଜର ଅକ୍ଷମତା ଯୋଗୁ ପରିବାର ତିନି ପିଲା ଛୁଆ ଓ ସ୍ତ୍ରୀ ଙ୍କୁ ସାହାରା କରି ବଞ୍ଚିଛନ୍ତି ଇରମା । ଇର୍ମାର ଏଭଳି ପରିସ୍ଥିତି ଯୋଗୁଁ ଗାଁ ଲୋକ ଓ ସ୍ଥାନୀୟ ସରପଞ୍ଚ ଏହି ପରିବାରକୁ ପ୍ରସାଶନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।