ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଣ୍ଡି ଆରମ୍ଭ ଏକ ମାସରୁ ଊର୍ଧ୍ୱ ସମୟ ହେଲାଣି। କିନ୍ତୁ ବିବାଦ ପିଛା ଛାଡୁନାହିଁ। କୌଣସି ନା’ କୌଣସି କାରଣରୁ ଧାନ ଉଠିପାରୁ ନାହିଁ। ଏଥିପାଇଁ ଚାଷୀ ସମସ୍ୟାରେ ଛନ୍ଦି ହେଉଥିବା ବେଳେ କେଉଁଠି ମିଲରଙ୍କ ଦାଦାଗିରି ତ’ ଆଉ କେଉଁଠି ଲ୍ୟାମ୍ପସ୍ କର୍ତ୍ତୃପକ୍ଷଙ୍କ ରାଜୁତି ଜାରି ରହିଛି। ଏଭଳି ପରିସ୍ଥିତିରେ ମଣ୍ଡିରେ ଧାନ ବିକ୍ରି କରିନପାରି ଚାଷୀ ଧାନକୁ ଜଗି ରହିଛନ୍ତି। ଗତ ରବିବାର ଦିନ ମଧ୍ୟ ଭେଜାଗୁଡା ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ୩୦ କ୍ୱିଣ୍ଟାଲ ଲେଖାଏଁ ଧାନ ଆଣିଥିଲେ। କିନ୍ତୁ ବିବାଦ ହୋଇ ଧାନ ଏପର୍ଯ୍ୟନ୍ତ ସେଠାରୁ ଉଠିପାରି ନାହିଁ। ଚାଷୀ ଶୀତରେ ରାତି ତମାମ ଜଗି ରହିଛନ୍ତି। ଏ ସଂପର୍କରେ ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧି ମଣ୍ଡିରେ ପହଞ୍ଚିବା ପରେ ଚାଷୀ ନିଜ ବେଦନା ବଖାଣିଥିଲେ। ଅଭିଯୋଗ କରିଥିଲେ ଯେ, ମିଲରମାନେ ମାଲ୍ୟବନ୍ତ ମହୋତ୍ସବ ପୂର୍ବରୁ କ୍ୱିଣ୍ଟାଲ ପିଛା ୩ କିଲୋ ଧାନ କାଟୁଥିଲେ। କିନ୍ତୁ ମାଲ୍ୟବନ୍ତ ସରିଯିବା ପରେ କହୁଛନ୍ତି ଯେ ମାଲ୍ୟବନ୍ତରେ ଟଂକା ଖର୍ଚ୍ଚ କରିଛୁ। ତେଣୁ ୫ରୁ ୧୨ କିଲୋ ପର୍ଯ୍ୟନ୍ତ ଧାନ କାଟିବୁ। ଭଲ ଧାନ ଦେଲେ ମଧ୍ୟ ମିଲରମାନେ ଧାନ କାଟି ଦେଉଛନ୍ତି ବୋଲି ଚାଷୀ ପ୍ରକାଶ କରିଥିଲେ। କେବଳ ଭେଜାଗୁଡା ମଣ୍ଡି ନୁହଁ ଜିଲ୍ଲାର ଅନ୍ୟ ମଣ୍ଡିରେ ବି ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ୫ ଦିନ ହେଲା ଚାଷୀ ମଣ୍ଡିରେ ଧାନକୁ ଜଗି ରହିଥିବା ବେଳେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନଥିବା ଦଖିବାକୁ ମିଳିଛି। ଏନେଇ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପଚାରିବାରୁ ସେ କେଉଁ ମିଲର ଏମିତି କହୁଛି ବୋଲି ଓଲଟା ପ୍ରଶ୍ନ କରିଥିଲେ। ଯଦି ଏମିତି ଅଭିଯୋଗ ହେଉଛି ତାହାହେଲେ ତଦନ୍ତ କରାଯିବ ବୋଲି କହିଥିଲେ।
ପ୍ରତି ମଣ୍ଡିରେ ଜଣେ ଚାଷୀ ଦିନକ ମଧ୍ୟରେ ୩୦ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ଚାଷୀଙ୍କୁ ବାରମ୍ବାର ମଣ୍ଡିକୁ ଆସିବାକୁ ପଡୁଛି। ଯାହାଫଳରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ବେଳେ ଚାଷୀଙ୍କ ସମସ୍ୟା ପ୍ରତି ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୦ ହଜାର କ୍ୱିଣ୍ଟାଲ ଧାନ କିଣାଯାଇ ସାରିଲାଣି। ଆକଳନ କରାଯାଉଛି ଯେ ଜିଲ୍ଲାରେ ଆହୁରି ୧୦ଲକ୍ଷ କ୍ୱିଣ୍ଟାଲ ଧାନ ବାହାରିବ। ଏଭଳି ପରିସ୍ଥିତିରେ କ୍ଷୁଦ୍ର ଚାଷୀ ଦଲାଲଙ୍କ ଜରିଆରେ ଧାନ ବିକ୍ରି କରିବା ଆରମ୍ଭ କରିଛନ୍ତି। ଦଲାଲମାନେ ଅତି ଶସ୍ତାରେ ଧାନ କିଣି ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶକୁ ଚାଲାଣ କରି ମାଲାମାଲ ହେଉଛନ୍ତି। ସୂଚନା ମିଳିଲେ ପ୍ରଶାସନ ପକ୍ଷରୁ ଚଢାଉ ହେଉଛି। ତଥାପି ଦଲାଲ ନିଜ ଅସାଧୁ କାରବାରକୁ ବନ୍ଦ କରୁ ନଥିବା ଦେଖିବାକୁ ମିଳିଛି। ଯୋଗାଣ ବିଭାଗ ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି।
୫ରୁ ୧୨କିଲୋ ଧାନ କାଟିବାକୁ ମିଲରଙ୍କ ଦାବି
/sambad/media/post_attachments/wp-content/uploads/2017/12/malkangiri-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)