ମାଥିଲିି: ବିବାହର ପ୍ରଲୋଭନ ଦେଖାଇ ନିଜ ପ୍ରେମିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ମାଥିଲି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏହି ଘଟଣା ମାଥିଲି ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ମାଥିଲି ବ୍ଲକର ଏକ ଆଶ୍ରମ ବିଦ୍ୟାଳୟରେ ନାବାଳିକା ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିଲେ। ତେବେ ପ୍ରାୟ ୧ବର୍ଷ ତଳେ କୌଣସି କାରଣରୁ ସେ ପାଠ ଛାଡି ଘରେ ରହୁଥିଲେ। ଏହି ସମୟରେ ପ୍ରତିଦିନ ମାଥିଲିକୁ ଆସୁଥିବା ଚେଡେଙ୍ଗା ଗ୍ରାମର ବଇଦ ପୂଜାରୀ(୨୪) ଓ ନାବାଳିକା ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ପ୍ରାୟ ୬ମାସ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ଚାଲିବା ପରେ ବଇଦ ନିଜ ପ୍ରେମିକାକୁ ବିବାହ ପ୍ରସ୍ତାବ ଦେଇଥିଲେ। ବଇଦଙ୍କ ଏହି ପ୍ରସ୍ତାବରେ ପ୍ରେମିକା ରାଜି ହୋଇଯାଇଥିଲେ। ଗତ ୩ମାସ ଧରି ଉଭୟେ ଲୁଚିଲୁଚି ଦେଶିଆ ନାଟ ଦେଖିବା ସହ ନିଛାଟିଆ ସ୍ଥାନରେ ଦେଖା କରୁଥିଲେ। ଅନ୍ୟପଟେ ବିବାହର ପ୍ରଲୋଭନ ଦେଖାଇ ବଇଦ ପ୍ରେମିକାଙ୍କ ସହ ଗତ ୩ମାସ ହେଲା ଶାରୀରିକ ସଂପର୍କ ରଖି ଆସୁଥିଲେ। ଧୀରେ ଧୀରେ ପରିବାର ଓ ଗ୍ରାମବାସୀ ଉଭୟଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିବାକୁ ପାଇଥିଲେ।
ତେବେ ଏହି ସମୟ ମଧ୍ୟରେ ନାବାଳିକା ଜଣକ ଗର୍ଭବତୀ ହୋଇସାରିଥିଲେ। ଏହା ଜଣାପଡିବା ପରେ ଉଭୟ ପରିବାର ଓ ଗ୍ରାମର ମୁଖିଆଙ୍କ ଉପସ୍ଥିତିରେ ନାବାଳିକାଙ୍କ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବଇଦଙ୍କ ଦ୍ୱାରା ନାବାଳିକା ଗର୍ଭବତୀ ହୋଇଥିବାରୁ ତାକୁ ବିବାହ କରିବାକୁ ଗ୍ରାମବାସୀ କହିଥିଲେ। ତେବେ ଏହି ପ୍ରସ୍ତାବକୁ ବଇଦ ମନା କରିଦେବା ସହ ନାବାଳିକା ପେଟରେ ବଢୁଥିବା ସନ୍ତାନ ତାଙ୍କର ନାହିଁ ବୋଲି ମଧ୍ୟ କହିଥିଲେ। ଏଭଳି ମନ୍ତବ୍ୟକୁ ନେଇ ବୈଠକରେ ଉତ୍ତେଜନା ଦେଖାଦେଇଥିଲା। ବୈଠକରେ କୌଣସି ସମାଧାନ ନହେବାରୁ ଶେଷରେ ପୀଡିତା ଜଣକ ଏନେଇ ମାଥିଲି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୀଡିତାଙ୍କ ପରିବାର ପକ୍ଷରୁ ମାଥିଲି ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗ ପରେ ପୁଲିସ ଏନେଇ କେଶ ନଂ-୨୫/୧୮ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ପୁଲିସ ଏହି ଘଟଣାରେ ବଇଦଙ୍କୁ ଗିରଫ କରି ପଚରାଉଚରା କରୁଥିବା ମାଥିଲି ଥାନା ଏସ୍ଆଇ ଭାରତୀ ନାୟକ ସୂଚନା ଦେଇଛନ୍ତି।