ମାଲକାନଗିରି: ନାବାଳିକା ସହ ବାରମ୍ବାର ଦୁଷ୍କର୍ମ। ଧରା ପଡିଯିବା ପରେ ନାବାଳକ ଅଭିଯୁକ୍ତକୁ ଖସାଇ ଦେବାକୁ ଗାଁରେ ହୋଇଥିଲା ଉଦ୍ୟମ। ଏପରିକି ଆପୋଷ ବୁଝାମଣା ଯୋଗୁଁ ପୀଡିତାଙ୍କ ବାପା, ମା’ ବି ଘଟଣାକୁ ବିଶେଷ ଗୁରୁତ୍ୱ ନଦେଇ ଚପାଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ନଜରକୁ ଏହି ଘଟଣା ଆସିବା ପରେ ଥାନାରେ ମାମଲା ରୁଜୁ ହୋଇଛି। ନାବାଳିକାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ କରାଯାଇଛି। ଅପରପକ୍ଷରେ ନାବାଳକ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି। ଏଭଳି ଏକ ସ୍ପର୍ଶକାତର ଘଟଣା ମାଲକାନଗିରି ଜିଲ୍ଲା ମହକୁମାର ବୁଟିଗୁଡା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଚଳିତ ମାସ ୧ତାରିଖ ଦିନ ଅଭିଯୁକ୍ତ ନାବାଳକଙ୍କ ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ସେ ପଡୋଶୀ ଘରର ଜଣେ ୭ବର୍ଷର ନାବାଳିକାକୁ ଜୋରଜରଦସ୍ତ ନିଜ ଘରକୁ ଟେକି ନେଇଥିଲା। ଏହି ଦୃଶ୍ୟ ସ୍ଥାନୀୟ ଜଣେ ମହିଳା ଦେଖି ହସ୍ତକ୍ଷେପ କରିଥିଲେ ହେଁ ଅଭିଯୁକ୍ତ କିଛି ଶୁଣି ନଥିଲା। ତେଣୁ ମହିଳା ଜଣକ ସାହିର ଅନ୍ୟ ମହିଳାଙ୍କ ସହ ଅଭିଯୁକ୍ତ ଘରକୁ ଯାଇଥିଲେ। ବହୁ ସମୟ ଧରି କବାଟ ବାଡ଼େଇବା ସତ୍ୱେ ଅଭିଯୁକ୍ତ କବାଟ ଖୋଲି ନଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ କବାଟ ଖୋଲିବାରୁ ଘର ବାହାରେ ଅପେକ୍ଷା କରିଥିବା ମହିଳା ଜଣକ ନାବାଳିକାକୁ ଉଦ୍ଧାର କରିଥିଲେ। ପୀଡିତାଙ୍କ ବାପା, ମା’ଙ୍କୁ ସବୁ କଥା କହିବା ପରେ ଦଂପତି ଝିଅକୁ ନେଇ ମାଲକାନଗିରି ମା’ ଘରକୁ ଯାଇଥିଲେ। ସେଠାରୁ ପୁଣି ଥାନାକୁ ଯାଇଥିଲେ ମଧ୍ୟ ଆପୋଷ ବୁଝାମଣା ଦ୍ୱାରା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା। ଘଟଣାର ଦିନକ ପରେ ପୀଡିତାକୁ ମାଲକାନଗିରି ହସ୍ପିଟାଲ ନିଆଯାଇଥିଲା। ଝିଅର ଚିକିତ୍ସା ପରେ ଚୁପ୍ଚାପ ସେମାନେ ଘରକୁ ଚାଲି ଚାଲି ଆସିଥିଲେ।
ଘଟଣାର ପ୍ରାୟ ସପ୍ତାହକ ପରେ ଅର୍ଥାତ ୯ତାରିଖ ଦିନ ଏହି ସମ୍ଭେଦନଶୀଳ ଘଟଣା ସିଡବ୍ଲୁସି ନଜରକୁ ଆସିଥିଲା। ଗାଁରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ବୟାନ ରେକର୍ଡ କରିଥିଲେ। ନାବାଳିକା ଜଣକ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଥିଲା। ୧ତାରିଖ ପୂର୍ବରୁ ବି ତା’ ସହିଦ ୩ରୁ ୪ଥର ଦୁଷ୍କର୍ମ ହୋଇଥିବା କହିଥିଲା। ଏହାପରେ ସିଡବ୍ଲୁସି ପୁଲିସକୁ ଖବର ଦେଇଥିଲା। ପୂର୍ବରୁ ଘଟଣାର ରଫାଦଫା କରିବାକୁ ଉଦ୍ୟମ କରିଥିବା ପୁଲିସ ୧୧ତାରିଖ ଦିନ ମାମଲା ରୁଜୁ କରିଥିଲା। ୧୨ତାରିଖ ଦିନ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ଆଜି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। ପ୍ରଲୋଭନ କିମ୍ବା ଧମକ ଯୋଗୁଁ ଏତେ ଦିନ ପୀଡିତାଙ୍କ ପରିବାର ଲୋକ ଚୁପ୍ ରହିଥିବା ସିଡବ୍ଲୁସି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ କହିଛନ୍ତି।
ଏନେଇ ମେଡିକାଲ ଏଡିଏମଓ ଶଶି ଭୂଷଣ ମହାପାତ୍ରଙ୍କୁ ପଚାରିବାରୁ ଗତ ୨ ତାରିଖରେ ଦୁଷ୍କର୍ମ ପୀଡିତାଙ୍କୁ ଚିକିତ୍ସା କରାଯାଇଥିଲା। ସେତେବେଳେ ଥାନାରୁ କେହି ଆସି ତଦନ୍ତ ପାଇଁ ଆସିନଥିଲେ। ପରବର୍ତୀ ସମୟରେ ପୁଲିସ ଡାକ୍ତରୀ ମାଇନା ପାଇଁ ଆଣିଥିଲା ବୋଲି ସେ କହିଛନ୍ତି। ସେହିପରି ମାମଲାର ତଦନ୍ତ କରୁଥିବା ଏସଆଇ ସୁକାନ୍ତ କୁମାର ଦାସଙ୍କୁ ପଚାରିବାରୁ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ଆଜି ଝିଅର ବୟାନ ରେକର୍ଡ କରାଯାଉଛି। ନାବାଳକ ଅଭିଯୁକ୍ତ ଫେରର ରହିଛି, ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି। ତେବେ ନାବାଳିକାର ସୁରକ୍ଷାକୁ ନେଇ ସିଡବ୍ଲୁସି ପ୍ରଶ୍ନ ଉଠାଇଛି। ଅତ୍ୟାଚାର ହୋଇଥିବା ନେଇ ପୀଡିତା ନିଜେ କହୁଥିବା ବେଳେ ତାକୁ ମିଛ କହିବା ପାଇଁ ଚାପ ପକାଯାଉଛି। ତେଣୁ ସିଡବ୍ଲୁସି ପକ୍ଷରୁ ବି ଗୋଟିଏ ମାମଲା ରୁଜୁ କରାଯାଇଥିବା ଅଧ୍ୟକ୍ଷା କହିଛନ୍ତି।